ଅନୁଗୋଳ: ପାଉଁଶ ପରିଚାଳନାକୁ ନେଇ ସଙ୍କଟରେ ନାଲକୋ । ନାଲକୋର ନିଦ ହଜାଇଲାଣି ପାଉଁଶ ଟେନ୍ସନ୍ । ବନ୍ଦ ହୋଇ ଯିବ କି ନାଲକୋ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ? ନାଲକୋରୁ ନିର୍ଗତ ପାଉଁଶ ରଖିବା ପାଇଁ ଜାଗା ନଥିବାରୁ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ବନ୍ଦ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ପ୍ରଦୂଷଣ ବିଭାଗ ତରଫରୁ ନାଲକୋକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଫଳରେ କାରଖାନା ପରିଚାଳନାକୁ ନେଇ ଦେଖା ଦେଇଛି ସାଂଘାତିକ ସ୍ଥିତି । ବିଭିନ୍ନ ଶ୍ରମିକ ଓ କର୍ମଚାରୀ ସଂଗଠନ ନାଲକୋକୁ ବଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ସମାଧାନ କରିବାକୁ ସଂଗଠନଗୁଡ଼ିକ ଦାବି କରିଛନ୍ତି ।
କ୍ୟାପ୍ଟିଭ ପାୱାର ପ୍ଲାଣ୍ଟରେ ପଡ଼ିପାରେ ତାଲା:ନାଲକୋ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟରେ ମୋଟ ୧୦ଟି ବିଦ୍ୟୁତ ଉତ୍ପାଦନ ୟୁନିଟ୍ ରହିଛି । ପ୍ରତି ୟୁନିଟ୍ରୁ ୧୨୦ ମେଗାୱାଟ୍ ଲେଖାଏଁ ବିଦ୍ୟୁତ ଉତ୍ପାଦନ ହେଉଛି । ଏଥିପାଇଁ ଦିନକୁ ପ୍ରାୟ ୧୬ହଜାର ଟନ୍ କୋଇଲା ବ୍ୟବହାର କରାଯାଉଛି । ସେଥିରୁ ଦୈନିକ ୭୫୦୦ ଟନ୍ ପାଉଁଶ ନିର୍ଗତ ହେଉଛି । ଏହି ପାଉଁଶ ରଖିବା ପାଇଁ ନାଲକୋ ୩ଟି ପାଉଁଶ ପୋଖରୀ ନିର୍ମାଣ କରିଥିଲା । କିନ୍ତୁ ସେହି ସବୁ ପାଉଁଶ ପୋଖରୀ ଏବେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଛି । ସେଗୁଡିକର ଆଉ ପାଉଁଶ ଧାରଣ କ୍ଷମତା ନାହିଁ। ଫଳରେ ନାଲକୋ କର୍ତ୍ତୃପକ୍ଷ ଲିଂସ୍ଲାରି ମାଧ୍ୟମରେ ପାଇପ ଯୋଗେ ପ୍ରାୟ ୨୧କିମି ତାଳଚେର ସ୍ଥିତ ଭରତପୁର ଭୂତଳ କୋଇଲା ଖଣିରେ ପକାଇବାର ବ୍ୟବସ୍ଥା କରିଥିଲା । ଦୈନିକ ପ୍ରାୟ ୫ହଜାର ଟନ ପାଉଁଶ ପାଇପ ଯୋଗେ କୋଇଲା ଖଣିରେ ପଡୁଛି ।
ପାଉଁଶ ପମ୍ପ ହାଉସ ବନ୍ଦ:ହେଲେ ନିଯୁକ୍ତି ଦାବିରେ ତାଳଚେର ସୁରକ୍ଷା ମଞ୍ଚର କ୍ଷତିଗ୍ରସ୍ତ ପ୍ରଜାମାନେ ଭରତପୁର ସ୍ଥିତ ପାଉଁଶ ପମ୍ପ ହାଉସକୁ ବନ୍ଦ କରି ଦେଇଛନ୍ତି। ଗତ ୧୩ତାରିଖରୁ ସେମାନେ ଆନ୍ଦୋଳନ କରିବା ଫଳରେ ପାଇପ ଯୋଗେ ଆଉ ପାଉଁଶ ପକା ଯାଇ ପାରୁନାହିଁ । ସେଦିନରୁ ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଭର୍ତ୍ତି ହୋଇ ଯାଇଥିବା ଗୋଟିଏ ପାଉଁଶ ପୋଖରୀରେ କର୍ତ୍ତୃପକ୍ଷ ବାଧ୍ୟ ହୋଇ ପାଉଁଶ ପକାଉଛନ୍ତି । କିନ୍ତୁ ସେହି ପୋଖରୀରେ ଆଉ ଧାରଣ କ୍ଷମତା ନଥିବାରୁ ଏବେ ବଡ଼ ଧରଣର ଅଘଟଣ ଘଟିବା ଆଶଙ୍କା ଦେଖା ଦେଇଛି ।
ଅନୁଗୋଳ ପ୍ରଦୂଷଣ ଆଞ୍ଚଳିକ ଅଧିକାରୀ ଭର୍ତ୍ତି ହୋଇଯାଇଥିବା ପାଉଁଶ ପୋଖରୀ ପରିଦର୍ଶନ କରିଥିଲେ । ଭୟଙ୍କର ପରିସ୍ଥିତି ଦେଖି ତୁରନ୍ତ ବିକଳ୍ପ ବ୍ୟବସ୍ଥା କର ନଚେତ ସାମୟିକ ଭାବେ କ୍ୟାପଟିଭ ପାୱାର ପ୍ଲାଣ୍ଟକୁ ବନ୍ଦ କର ବୋଲି ନୋଟିସ ଜାରି କରିଛନ୍ତି । ନଲୋକର ଅନ୍ୟ କୌଣସି ବିକଳ୍ପ ନଥିବାରୁ ବନ୍ଦ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ଦୋଳନ ଚଳାଇଥିବା କ୍ଷତିଗ୍ରସ୍ତ ଲୋକଙ୍କ ସହ ପ୍ରଶାସନ, ନାଲକୋ କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ଲୋକ ପ୍ରତିନିଧି କେହି ହେଲେ ଏଯାଏଁ ଆଲୋଚନା କରି ନଥିବା ଜଣାପଡ଼ିଛି ।