ଓଡିଶା

odisha

ETV Bharat / state

ଶିଶୁକନ୍ୟା ସୁରକ୍ଷାରେ ଦେଶରେ ଆଗୁଆ ଅନୁଗୋଳର ମଝିପଡା - Anugul majhipara sets example

ଶିକ୍ଷା ସଚେତନତା ଠାରୁ ବହୁ ଦୂରରେ । କିନ୍ତୁ କନ୍ୟାରତ୍ନ ସୁରକ୍ଷାରେ ସାରା ଦେଶରେ ଆଗରେ । ସାତକୋଶିଆ ଅଭୟାରଣ୍ୟରେ ଥିବା ମଝିପଡାରୁ ଦେଖନ୍ତୁ ଇଟିଭି ଭାରତର ବିଶେଷ ରିପୋର୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Oct 10, 2019, 11:57 PM IST

ଅନୁଗୋଳ: ସମାଜରେ ଏବେ ପୁଅଙ୍କ ତୁଳନାରେ କମୁଛି ଝିଅଙ୍କ ସଂଖ୍ୟା । ଯାହାକୁ ନେଇ ଏବେ ଦେଶରେ ଚିନ୍ତା ଜନକ ପରିସ୍ଥିତି ଦେଖାଦେଇଛି । ସରକାର ମଧ୍ୟ କନ୍ୟାରତ୍ନଙ୍କ ସୁରକ୍ଷା ପାଇଁ ଯୋଜନା ପ୍ରଣୟନ କରୁଛନ୍ତି । ଏଭଳି ସ୍ଥଳେ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ଦେଖାଇବୁ ଯେଉଁଠି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ଢେର ଅଧିକ । ଏମିତି ଏକ ଗାଁ ହେଉଛି ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟ ଭିତରେ ଅବସ୍ଥିତ ମଝିପଡା ଗାଁ । ଯେଉଁଠି ପ୍ରାୟ ୫୦ ରୁ ଅଧିକ ଆଦିବାସୀ ପରିବାର ବସବାସ କରନ୍ତି । ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ କେବଳ ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରି ଜିବୀକା ନିର୍ବାହ କରିବା ଛଡା ଆଉ କିଛି ବାଟ ନାହିଁ । ଶିକ୍ଷା, ସ୍ବାସ୍ଥ୍ୟଓ ଅନ୍ୟାନ୍ୟ ମୌଳିକ ସୁବିଧା ଏଠାରେ ସେତେଟା ପ୍ରଭାବ ପକାଇ ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ତଥାପି ଏହି ଗାଁର ଲୋକଙ୍କ ଭିତରେ ଯେଉଁ ସଚେତନତା ରହିଛି ତାହା ବର୍ତ୍ତମାନ ପରିସ୍ଥିତିରେ ସାରା ଦେଶ ପାଇଁ ଉଦାହରଣ । କାରଣ ଗାଁରେ ଘରେ ଘରେ ଝିଅ ଜନ୍ମ ହେଲେ ବହୁତ ଖୁସି ହୁଅନ୍ତି ଆଦିବାସୀ ପରିବାର । ସରକାରୀ ତଥ୍ୟ କହୁଛି ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ଗାଁରେ ପୁରୁଷ ସଂଖ୍ୟା ୧୫୦ ଥିବା ବେଳେ ମହିଳାଙ୍କ ସଂଖ୍ୟା ୧୬୭ । ସେହିପରି ୫ ବର୍ଷ ବୟସ ପର୍ଯ୍ୟନ୍ତ ୧୦ ଜଣ ପୁଅ ହୋଇଥିବା ବେଳେ ୧୮ ଜଣ ଝିଅ ଅଛନ୍ତି । ଏ ବର୍ଷ ଗାଁରେ ଜଣେ ମାତ୍ର ପୁଅ ଜନ୍ମ ହୋଇଥିବା ବେଳେ 3ଜଣ ଝିଅ ଜନ୍ମ ହୋଇଛନ୍ତି ।

ଗାଁରେ ଝିଅକୁ ମିଳେ ବହୁତ ଆଦର ଓ ସମ୍ମାନ । ଏହାର କାରଣ ହେଉଛି ଆଦିବାସୀ ସମାଜରେ ଯୌତୁକ ପ୍ରଥା ନାହିଁ । ଝିଅ ବଡ ହେବା ପରେ ବାହାଘର ପାଇଁ କୌଣସି ସମସ୍ୟା ନଥାଏ ଏମାନଙ୍କର । ଅଯଥାରେ ଯୌତୁକ ପାଇଁ ଲୋକଙ୍କୁ ଖର୍ଚ୍ଚ କରିବାକୁ ପଡେ ନାହିଁ । ଗାଁରେ ଝିଅ ମାନଙ୍କୁ ଆଦର କରିବା ଆଜି କାଲିର କଥା ନୁହେଁ । ଏଭଳି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସିଛି ଏମାନଙ୍କର । ଆଦିବାସୀ ହେଲେ ମଧ୍ୟ ଏମାନେ ନାରୀ ମାନଙ୍କ ପ୍ରତି ଯେଉଁ ସମ୍ମାନ ରହିଛି ଏବଂ କନ୍ୟା ସନ୍ତାନକୁ ଯେଉଁଭଳି ଆଦର କରନ୍ତି ତାହା ସାରା ଦେଶ ପାଇଁ ପ୍ରେରଣା ଦାୟୀ ।


ବର୍ତ୍ତମାନ ସମୟରେ ସାରା ଦେଶରେ ପୁରୁଷ ଓ ମହିଳାଙ୍କ ବ୍ୟାପକ ବ୍ୟବଧାନ ଦେଖା ଦେଇଛି । ଏହି ବ୍ୟବଧାନ ପୁଣି ଅନୁଗୋଳ ଜିଲାରେ ସବୁଠାରୁ ଅଧିକ । ଏଠି 1ହଜାର ପୁଅରେ ଝିଅ ସଂଖ୍ୟା ମାତ୍ର ୮୮୩ । କିନ୍ତୁ ଦୁର୍ଗମ ଅଞ୍ଚଳରେ ଥିବା ମଝିପଡା ଗ୍ରାମବାସୀ ଏସବୁ ଜାଣନ୍ତି ନାହିଁ । ସେମାନଙ୍କୁ କୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନର ଦ୍ବାରା ସଚେତନତାର ବାର୍ତ୍ତା ଆବଶ୍ୟକ ପଡେନି । ସେମାନେ ନିଜେ ସଚେତନ । ସେମାନଙ୍କ ଅଜାଣତରେ ଅନ୍ୟ ପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଏହି ଆଦିବାସୀ । ତେବେ ଆମ ପ୍ରତିନିଧିଙ୍କ ଠାରୁ ଖବର ପାଇବା ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ଏହି ଗାଁକୁ ଜିଲ୍ଲାରେ ରୋଲ ମଡେଲ କରାଯିବ । ପ୍ରକୃତ ସ୍ଥିତି ଅନୁଧ୍ୟାନ ପରେ ଗାଁ ପାଇଁ ଆବଶ୍ୟକୀୟ ପଦକ୍ଷପ ମଧ୍ୟ ନିଆଯିବ । ତେବେ କେବେ ଶିଶୁ ଅଧିକାର ଅଧିକାରୀ ତାଙ୍କ ପ୍ରତିଶୃତି ରଖୁଛନ୍ତି ଏବେ ତାକୁ ଅପେକ୍ଷା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details