ଅନୁଗୋଳ: ଆରପିଡିଏସିର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରୁନାହିଁ ମହାରତ୍ନ କମ୍ପାନୀ ଏନଟିପିସି। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅନୁଗୋଳ ଜିଲ୍ଲାର ବିଧାୟକ ଓ ସାଂସଦ । ପୂର୍ବରୁ ଯେଉଁ ସବୁ ନିଷ୍ପତ୍ତି RPDACରେ ନିଆଯାଇଥିଲା ତାହା କାର୍ଯ୍ୟକାରୀ ହୋଇ ନାହିଁ । ଏଥିପାଇଁ RPDACର ନବମ ବୈଠକକୁ ବର୍ଜନ କରିଛନ୍ତି ଅନୁଗୋଳ ଜିଲ୍ଲାର ଦୁଇ ବିଧାୟକ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ।
ପୂର୍ବରୁ ବୈଠକରେ ଯାହା ନିଷ୍ପତ୍ତି ହୋଇଥିଲା କୌଣସି ଗୋଟିଏ ବି କାର୍ଯ୍ୟକାରୀ ହୋଇନାହିଁ । ନିର୍ବାଚିତ ପ୍ରତିନିଧିମାନେ ଏହାର ଜବାବ ଚାହିଁଥିଲେ। କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ସଠିକ ଜବାବ ଦେଇ ପାରି ନଥିଲେ। ଏହାକୁ ନେଇ ନିର୍ବାଚିତ ଲୋକ ପ୍ରତିନିଧିମାନେ ବିରକ୍ତି ପ୍ରକାଶ କରିଥିଲେ। ଏଭଳି ବୈଠକ ପରେ ବୈଠକ ହେଉଛି ହେଲେ ଏହାର କିଛି ସୁଫଳ ମିଳି ପାରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ପ୍ରତିନିଧି ।
୩୦ ବର୍ଷରୁ ଅଧିକ ବିତିଗଲାଣି ଜମିହରା ପ୍ରଜାଙ୍କୁ ନିଯୁକ୍ତି ମିଳୁନି। ଏଯାଏଁ ବହୁ କ୍ଷତିଗ୍ରସ୍ତ କ୍ଷତିପୂରଣ ଅର୍ଥ ପାଇ ନାହାଁନ୍ତି । ବାରମ୍ବାର ଖାଲି ବୈଠକରେ ଆଲୋଚନା ହେଉଛି। କିନ୍ତୁ ଲୋକଙ୍କର ସମସ୍ୟାର ସମାଧାନ ହେଇନାହିଁ । ତେଣୁ RPDACର ନବମ ବୈଠକରେ ଉପସ୍ଥିତ ଅନୁଗୋଳ ଜିଲ୍ଲାପାଳ, ଏସପି ଓ ଅନ୍ୟ ଅଧିକାରୀମାନଙ୍କୁ ବୈଠକରେ ଯାହା ନିଷ୍ପତ୍ତି ହେବ, ତାହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ ଲୋକ ପ୍ରତିନିଧି।