ଅନୁଗୋଳ: ଅଜଣା ପୋକ ଯୋଗୁଁ ଶହଶହ ଏକର ଜମିରେ ଫୁଲ କୋବି ଫସଲ ନଷ୍ଟ । ଯେତେ ପ୍ରକାର କୀଟ ନାଶକ ପ୍ରୟୋଗ କଲେ ମଧ୍ୟ ପୋକ ନିୟନ୍ତ୍ରଣ ହୋଇ ପାରୁନାହିଁ । ବର୍ଷକର ବେଉସା ନଷ୍ଟ ହେଉଥିବା ଦେଖି ଚିନ୍ତାରେ ଚାଷୀ । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ କୁଳେଇ ଗାଁରେ । ଏହି ଗାଁଟି ଫୁଲ କୋବି ଚାଷ ପାଇଁ କେବଳ ଜିଲ୍ଲା ନୁହେଁ ସାରା ରାଜ୍ୟରେ ନାଁ କରିଛି । ହେଲେ ଏବେ ଫୁଲକୋବି ଚାଷ ଠାରୁ ମୁହଁ ମୋଡ଼ିଲେଣି ଚାଷୀ ।
ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକରେ ରହିଛି କୁଳେଇ ଗାଁ । ଏଠାରେ ପ୍ରାୟ ୮୦ରୁ ଅଧିକ ପରିବାର ବସବାସ କରନ୍ତି । ସମସ୍ତେ କେବଳ ଚାଷ ଉପରେ ନିର୍ଭର କରନ୍ତି । ସବୁଠାରୁ ବଡ଼ କଥା ହେଉଛି ଫୁଲ କୋବି ଚାଷ ଏମାନଙ୍କର ମୁଖ୍ୟ ଫସଲ । ଗାଁରେ ପ୍ରାୟ ୧୦୦ ଏକର ଜମିରେ କୋବି ଫସଲ ହେଉଛି । ବର୍ଷରେ ୪ଥର କୋବି ଫସଲ କରାଯାଉଛି । ଯାହାକି ଏକ ନିଶ୍ଚିତ ଭାବେ ବିରଳ । କାରଣ ଉଦ୍ୟାନ ବିଭାଗ ଅନୁସାରେ ବର୍ଷରେ କେବଳ ସର୍ବାଧିକ ୩ଥର ହିଁ ଫୁଲ କୋବି ଚାଷ ହୋଇ ପାରିବ । ହେଲେ ଚାଷୀ ନିଜସ୍ୱ ଜ୍ଞାନ କୌଶଳ ପ୍ରୟୋଗ କରି ୪ଥର କୋବି ଫସଲ କରି ପାରୁଛନ୍ତି । ପ୍ରତିବର୍ଷ ଚାଷୀ କୋବି ଫସଲ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ କୋବି ବିକ୍ରି ପାଇଁ ଯାଉଛି । ବାହାର ବେପାରୀମାନେ ଆସି ଟ୍ରକ ଯୋଗେ କୋବି ନେଇ ଯାଉଛନ୍ତି । ଏସବୁ ଦୃଷ୍ଟିରୁ କୁଳେଇ ଗାଁକୁ ଫୁଲ କୋବିର ଗାଁ ବୋଲି କୁହନ୍ତି । କାରଣ ବର୍ଷ ତମାମ ଯେଉଁ ସମୟରେ ଗାଁକୁ ଗଲେ କ୍ଷେତରେ ଫୁଲ କୋବି ଦେଖିବାକୁ ମିଳେ । ହେଲେ ଏବେ ଦୁଇ ତିନି ବର୍ଷ ହେଲା ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଅଧିକାଂଶ ଚାଷୀ ଫୁଲକୋବି ଚାଷରୁ ଓହରି ଗଲେଣି । ଏହାର କାରଣ କେଉଁ ଏକ ଅଜଣା ପ୍ରଜାତିର ପୋକ କୋବି ଫସଲକୁ ନଷ୍ଟ କରି ଦେଉଛନ୍ତି । ଯେତେ ପ୍ରକାର କୀଟନାଶକ ପ୍ରୟୋଗ କଲେ ମଧ୍ୟ ସେହି ପୋକ ମରୁ ନାହାନ୍ତି । ଗଛର ପତ୍ର ସବୁ କଣା କରି ନଷ୍ଟ କରି ଦେଉଛନ୍ତି । ଫଳରେ ଆଉ କୋବି ହେଉ ନାହିଁ ଏବଂ ଯେଉଁ ଗଛରେ କୋବି ହେଉଛି ତାହା ମଧ୍ୟ ଖାଇବା ଉପଯୋଗୀ ହୋଇ ରହୁ ନାହିଁ । ତେଣୁ ଚିନ୍ତାରେ ପଡ଼ିଯାଇଛନ୍ତି କୋବି ଚାଷୀ ।
ଏହା ମଧ୍ୟ ପଢ଼ନ୍ତୁ:Assembly Update: ଚାଷୀ ପ୍ରସଙ୍ଗରେ ବିଧାନସଭା ବାହାରେ ଶାସକ-ବିରୋଧୀଙ୍କ ବିକ୍ଷୋଭ