ନୂଆଦିଲ୍ଲୀ: ଚଳିତ ଅଲମ୍ପିକ ଗେମ୍ସରେ ଭାରତୀୟ ଆଥଲେଟ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଇତିହାସରେ ପ୍ରଥମ ଥର ପାଇଁ ଅଲମ୍ପିକ ଗେମ୍ସରେ ୭ଟି ପଦକ ହାସଲ କରିଛନ୍ତି ଭାରତୀୟ କ୍ରୀଡ଼ାବିତ୍ । ଏହାକୁ ନେଇ ପଦକ ବିଜେତାଙ୍କ ଉପରେ ପୁରସ୍କାର ବର୍ଷା ହେବା ଜାରି ରହିଛି । ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡ଼ି ହୋଇଛି । ଶିକ୍ଷାକୁ ପ୍ରୋତ୍ସାହନ ଦେଉଥିବା ଆପ୍ଲିକେଶନ ବାଇଜୁ(BYZU) ଅଲମ୍ପିକ ପଦକ ବିଜେତାଙ୍କ ପାଇଁ ଅର୍ଥରାଶି ପୁରସ୍କାର ଘୋଷଣା କରିଛି । ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ପାଇଁ ୨ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଅନ୍ୟ ପଦକ ବିଜେତାଙ୍କ ପାଇଁ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ।
ଅଲମ୍ପିକ ଗେମ୍ସରେ ଭାରତୀୟ କ୍ରୀଡ଼ାବିତଙ୍କ ସଫଳତାକୁ ନେଇ ସାରା ଦେଶ ଉତ୍ସବ ମୁଖର ରହିଛି । ଦେଶରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାକୁ ବାଇଜୁ ଏହା ଏକ ଛୋଟ ପ୍ରୟାସ ବୋଲି କହିଛନ୍ତି ଏହାର କାର୍ଯ୍ୟ ନିର୍ବାହୀ ଅଧିକାରୀ । ବାଇଜୁ ପକ୍ଷରୁ ପ୍ରତ୍ୟେକ ଏକକ ପଦକ ବିଜୟୀଙ୍କୁ ଅର୍ଥରାଶି ପୁରସ୍କାର ଦିଆଯିବ । ଏହି କ୍ରମରେ ରୌପ୍ୟ ପଦକ ବିଜୟୀ ମୀରାବାଇ ଚାନୁ, ରବି କୁମାର, ବ୍ରୋଞ୍ଜ ପଦକ ବିଜେତା ରବ୍ଲିନା ବୋର୍ଗହେନ, ପିଭି ସିନ୍ଧୁ ଓ ବଜରଙ୍ଗ ପୁନିଆଙ୍କୁ ଏକ କୋଟି ଲେଖାଏଁ ପୁରସ୍କାର ଦେବ ବାଇଜୁ । ତେବେ ସ୍ବର୍ଣ୍ଣ ପଦକ ବିଜୟୀ ନୀରଜ ଚୋପ୍ରାଙ୍କୁ ବାଇଜୁ ପକ୍ଷରୁ ୨ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି କୁହାଯାଇଛି । ଏହାକୁ ନେଇ ବିଧିବଦ୍ଧ ଭାବରେ ଘୋଷଣା କରିଛି ବାଇଜୁ ।