ଟୋକିଓ: ପାରାଲମ୍ପିକ୍ସର ଟେବୁଲ ଟେନିସ ଇଭେଣ୍ଟରେ ସେମିଫାଇନାଲକୁ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ପେଡଲର ଭାବିନା ପଟେଲ । ଫଳରେ ଟେବୁଲ ଟେନିସ ଇଭେଣ୍ଟରେ ଭାରତ ପାଇଁ ଏକ ପଦକ ସୁନିଶ୍ଚିତ ହୋଇଛି । କାରଣ ଏହି ଇଭେଣ୍ଟରେ କାଂସ୍ୟ ପଦକ ପାଇଁ କୌଣସି ମ୍ୟାଚ ଖେଳାଯାଏନାହିଁ । ଦୁଇ ସେମିଫାଇନାଲରେ ପରାଜିତ ଖେଳାଳିଙ୍କୁ କାଂସ୍ୟ ପଦକ ପ୍ରଦାନ କରାଯାଏ ।
କ୍ବାର୍ଟର ଫାଇନାଲ ମ୍ୟାଚରେ ବିଶ୍ବର ୫ ନମ୍ବର ଖେଳାଳି ସର୍ବିଆର ପେଡଲର ପେରିକ ବୋରିସ୍ଲୋଭା ରାଙ୍କୋଭିକଙ୍କୁ ମାତ୍ର ୧୮ ମିନିଟରେ ପରାଜିତ କରିଛନ୍ତି ଭାବିନା । C4 କାଟାଗୋରୀର ସିଧା ସେଟରେ ୩-୦ରେ ସେ ବିଜୟ ହାସଲ କରିଛନ୍ତି । ପ୍ରଥମ ସେଟକୁ ଏକ ପାଖିଆ ଭାବରେ ୧୧-୫ରେ ବିଜୟ ହାସଲ କରିଥିଲେ ଭାବିନା । ଏହାପରେ ଦ୍ବିତୀୟ ଓ ତୃତୀୟ ସେଟକୁ ମଧ୍ୟ ୧୧-୬ ଓ ୧୧-୭ ପଏଣ୍ଟରେ ବିଜୟ ହାସଲ କରି ନକଆଉଟ ପର୍ଯ୍ୟାୟର ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।
ସେମିଫାଇନାଲ ମ୍ୟାଚରେ ଭାବିନା ଚୀନର ଝାଙ୍ଗ ମିଆଓଙ୍କୁ ଭେଟିବେ । ଶନିବାର ସକାଳୁ ଏହି ମ୍ୟାଚ ଖେଳାଯିବ । ତେବେ ଭାବିନା କେଉଁ ରଙ୍ଗର ପଦକ ହାସଲ କରିବେ ତାହାରି ଉପରେ ସଭିଙ୍କ ନଜର ରହିଛି । କାରଣ ଚଳିତ ପାରାଲମ୍ପିକ୍ସରେ ଏହା ଭାରତ ପାଇଁ ପ୍ରଥମ ପଦକ ହେବ । ଏହାକୁ ନେଇ ଭାରତୀୟ ପାରା କ୍ରୀଡ଼ାବିତ ସଂଘର ସଭାପତି ଦୀପା ମଲିକ ଉତ୍ସାହିତ ରହିଛନ୍ତି । ଭାବିନା ସେମିକୁ ଉନ୍ନିତ ହେବାପରେ ସେ ଭିଡିଓ ସେୟାର କରି ଖୁସି ଜାହିର କରିଛନ୍ତି ।
ଦୀପା ମଲିକ ଭିଡିଓ ସେୟାର କରି କହିଛନ୍ତି ଯେ, "ଟେବୁଲ ଟେନିସରେ ଆମକୁ ଏକ ପଦକ ମିଳିବା ସୁନିଶ୍ଚିତ । ଶନିବାର ସକାଳୁ ଖେଳାଯିବାକୁ ଥିବା ମ୍ୟାଚରେ ଦେଖିବାକୁ ବାକି ରହିଲା କେଉଁ ରଙ୍ଗର ପଦକ ଭାରତକୁ ମିଳିବ ।"
ପାରାଲମ୍ପିକ୍ସରେ ଭାବିନାଙ୍କ ଦିନ ଆଜି ଶୁଭମୟ ଥିଲା । କ୍ବାର୍ଟରଫାଇନାଲ ମ୍ୟାଚରେ ସେ ବ୍ରାଜିଲର ବ୍ରାଜିଲର ଜୋଏସ୍ ଡି ଅଲିଭିଆରାଙ୍କୁ ରାଉଣ୍ଡ ୧୬ ମ୍ୟାଚରେ ମାତ ଦେଇକ୍ବାର୍ଟର ଫାଇନାଲକୁ ଉନ୍ନିତ ହୋଇଥିଲେ । ଭାବିନା ତିନୋଟି ସିଧାସଳଖ ସେଟରେ 3-0 (12-10, 13-11, 11-6)ରେ ସେ ଜୋଏସଙ୍କୁ ପରାସ୍ତ କରିଥିଲେ ।