ମାଦ୍ରିଦ(ସ୍ପେନ): "କିଙ୍ଗ ଅଫ କ୍ଲେ" ନାମରେ ପରିଚିତ ଟେନିସ ଷ୍ଟାର ରାଫେଲ ନାଦାଲ କେବେ ମଧ୍ୟ କ୍ରିକେଟ ଖେଳିନାହାନ୍ତି । କିନ୍ତୁ ତାଙ୍କୁ କ୍ଲିନ ବୋଲଡ କରିଛନ୍ତି ଜଣେ ଇନସୁରାନ୍ସ ବ୍ୟାଙ୍କର । ତେବେ ଏହା କୌଣସି ଖେଳରେ ନୁହେଁ ବରଂ ପ୍ରେମରେ । ନିଜ ଦୀର୍ଘ ଦିନର ପ୍ରେମିକା ମେରୀ ପେରେଲୋଙ୍କୁ ଖୁବଶିଘ୍ର ବିବାହ କରିବାକୁ ଯାଉଛନ୍ତି ରାଫେଲ ନାଦାଲ ।
ବ୍ୟାଙ୍କରଙ୍କ ପ୍ରେମରେ ଟେନିସ ଷ୍ଟାର କ୍ଲିନ ବୋଲ୍ଡ - nadal marriage
ବିଶ୍ବର ୨ ନମ୍ବର ଟେନିସ ତାରକା ନାଦାଲ ନିକଟରେ ଅଷ୍ଟ୍ରେଲିଆ ଓପନର ଫାଇନାଲରେ ପରାସ୍ତ ହୋଇଥିଲେ । ଏବେ ପୁଣିଥରେ ସେ ପରାସ୍ତ ହେବାକୁ ଯାଉଛନ୍ତି । କିନ୍ତୁ ଖେଳରେ ନୁହେଁ ପ୍ରେମରେ ।
2005ରୁ ଉଭୟ ଏହି ସମ୍ପର୍କରେ ରହିଆସିଛନ୍ତି । ଦୀର୍ଘ ୧୪ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଆସିଛି । ପେସାରେ ଜଣେ ବ୍ୟାଙ୍କର ଥିବା ମେରୀ, ନାଦାଲଙ୍କୁ ସବୁବେଳେ ସମର୍ଥନ ଦେଇଆସନ୍ତି । ତାଙ୍କର ସବୁ ମ୍ୟାଚରେ ସେ ଷ୍ଟାଡିୟମରେ ଉପସ୍ଥିତ ରହି ନାଦାଲଙ୍କୁ ଉତ୍ସାହିତ କରନ୍ତି । ମେରୀ ରାଫେଲ ନାଦାଲ ଫାଉଣ୍ଡେସନରେ ମଧ୍ୟ କାମ କରୁଛନ୍ତି । ଗତବର୍ଷ ମେ ମାସରେ ଉଭୟ ଗୋପନରେ ନିର୍ବନ୍ଧ କରିସାରିଛନ୍ତି ବୋଲି ଖବର ରହିଛି । ଆସନ୍ତା ମାର୍ଚ୍ଚ ମାସରେ ଉଭୟ ବିବାହ କରିବା ନେଇ ଖବର ରହିଛି ।
ନିକଟରେ ଏକ ରୋମ ଟ୍ରିପରେ ନାଦାଲ ଗର୍ଲଫ୍ରେଣ୍ଡକୁ ପ୍ରୋପୋଜ କରିଥିବା ନେଇ ସ୍ବୀକାର କରିଥିଲେ । ମେରୀ ବାଣିଜ୍ୟରେ ସ୍ନାତକ କରିଥିବାବେଳେ ତାଙ୍କର କୌଣସି ସୋସିଆଲ ଆକାଉଣ୍ଟ ନାହିଁ ।