ବୁଦାପେଷ୍ଟ: ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା ବିଶ୍ବ ଆଥ୍ଲେଟିକ୍ସ ଚମ୍ପିଆନ୍ସିପ୍ ୨୦୨୩ରେ ଦମଦାର୍ ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ଆଥ୍ଲେଟ୍ । ଶୁକ୍ରବାର ଅନୁଷ୍ଠିତ ଜାଭେଲିନ୍ ଥ୍ରୋ କ୍ବାଲିଫିକେସନ୍ ମ୍ୟାଚ୍ରେ ପ୍ରଥମେ ନୀରଜ ଚୋପ୍ରା ୮୮.୭୭ ମିଟର ଜାଭେଲିନ ଫିଙ୍ଗି ଫାଇନାଲକୁ ଉନ୍ନିତ ହୋଇଥିଲେ । ଏହା ସହିତ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ନୀରଜ । ତେବେ ନୀରଜଙ୍କ ବ୍ୟତୀତ ଅନ୍ୟ ଦୁଇ ଭାରତୀୟ ଆଥ୍ଲେଟ୍ ମଧ୍ୟ ଜାଭେଲିନ୍ ଥ୍ରୋ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ଡିପି ମନୁ ୮୧.୩୩ ମିଟର ଜାଭେଲିନ୍ ଫିଙ୍ଗି ଫାଇନାଲରେ ପ୍ରବେଶ କରିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ୮୦.୫୫ ମିଟର ଫିଙ୍ଗି ଫାଇନାଲ୍ରେ ପହଞ୍ଚିଛନ୍ତି । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କିଶୋରଙ୍କ ସମେତ ନୀରଜ ଚୋପ୍ରା ଓ ଡିପି ମନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ତେବେ ୟୁରୋପୀୟ ଦେଶ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟରେ ଚାଲିଥିବା ବିଶ୍ବ ଆଥ୍ଲେଟିକ୍ସ ଚମ୍ପିଆନ୍ସିପ୍ରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ଜାଭେଲିନ୍ ଥ୍ରୋ କ୍ବାଲିଫିକେସନ୍ ମ୍ୟାଚ୍ରେ କିଶୋର ଫାଇନାଲରେ ପହଞ୍ଚିଛନ୍ତି । ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ବି ଗ୍ରୁପରେ ଥିବା କିଶୋର ୮୦.୫୫ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଟପ୍ ୧୨ରେ ରହିବାରେ ସକ୍ଷମ ହୋଇଛନ୍ତି । ତେବେ ଜାଭେଲିନ୍ ଥ୍ରୋ ଫାଇନାଲରେ ପ୍ରବେଶ କରିଥିବା ୧୨ ଜଣଙ୍କ ମଧ୍ୟରୁ ୯ ନମ୍ବର ସ୍ଥାନରେ ରହିଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ପ୍ରଥମ ଓଡ଼ିଆ ଭାବେ ସେ ବିଶ୍ବ ଆଥଲେଟିକ୍ସ ଚମ୍ପିଆନ୍ସିପ୍ରେ ଭାଗ ନେଇ ଏକାବେଳେ ଫାଇନାଲରେ ପ୍ରବେଶ କରିଛନ୍ତି ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭାରତର ସୁନା ପୁଅ ଭାବେ ପରିଚିତ ନୀରଜ ଚୋପ୍ରା ପ୍ରଥମ ଥର ପାଇଁ ଏହି ବିଶ୍ବ ଆଥ୍ଲେଟିକ୍ସ ଚମ୍ପିଆନ୍ସିପ୍ର ଫାଇନାଲରେ ପହଞ୍ଚିଛନ୍ତି । ସେ ୮୮.୭୭ ମିଟର ଲମ୍ବ ଦୂରତାକୁ ଜାଭେଲିନ ଫିଙ୍ଗ ଏହି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଥିଲେ । ସେହିପରି ଭାରତର ଅନ୍ୟତମ ଜାଭେଲିନ ଫିଙ୍ଗାଳି ଡିପି ମନୁ ୮୧.୩୧ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଅର୍ଥାତ ଭାରତର ଏକାବେଳେ ୩ ଜଣ ଖେଳାଳି ଏହି ଫାଇନାଲ ରାଉଣ୍ଡରେ ପଦକ ପାଇଁ ଲଢ଼ିବେ ।