ରାଞ୍ଚି:ଲିଗ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍ ଜିତି ଅପରାଜେୟ ରହିଛି ଭାରତୀୟ ମହିଳା ହକି ଦଳ । ଏହାପରେ ସେମିଫାଇନାଲରେ ବାଜିମାତ କରି ଫାଇନାଲ ଟିକେଟ ହାସଲ କରିଛି ସବିତା ପୁନିଆଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ଝାଡ଼ଖଣ୍ଡର ରାଞ୍ଚିରେ ଚାଲିଥିବା ହକି ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ମହିଳା ହକି ଦଳର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସେମିଫାଇନାଲରେ ଦକ୍ଷିଣ କୋରିଆକୁ 2-0 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଆଜି(ରବିବାର) ଫାଇନାଲରେ ଜାପାନକୁ ଭେଟିବ ଭାରତ । ଅନ୍ୟ ଏକ ସେମିଫାଇନାଲରେ ଚୀନକୁ 2-1 ଗୋଲରେ ପରାସ୍ତ କରିଛି ଜାପାନ । ଭାରତ କୋରିଆ ସେମିଫାଇନାଲ ମ୍ୟାଚ୍ରେ ସାଲିମା ଟେଟେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଦୀପିକା ରାଇଜିଂ ଷ୍ଟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ସେମିଫାଇନାଲରେ ଭାରତ ଆରମ୍ଭରୁ ଶେଷ ଯାଏ ଆଧିପତ୍ୟ ବିସ୍ତାର କରିଥିଲା । ପ୍ରଥମ କ୍ବାର୍ଟରର 11ମିନିଟରେ ସାଲିମା ଟେଟେ ପ୍ରଥମ ଗୋଲ ସ୍କୋର କରି 1-0 ଗୋଲରେ ଭାରତକୁ ଆଗୁଆ କରିଥିଲେ । ଦ୍ବିତୀୟ କ୍ବାର୍ଟରରେ ବୈଷ୍ଣବୀ ବିଥଲ ଫାଲକେ (19ମିନିଟ)ଙ୍କ ଗୋଲରେ ଦଳ ମ୍ୟାଚକୁ ନିୟନ୍ତ୍ରଣକୁ ଆଣିଥିଲା । ପରବର୍ତ୍ତୀ 2ଟି କ୍ବାର୍ଟରରେ କୋରିଆ କଡ଼ା ଟକ୍କର ଦେଇଥିଲା ମାତ୍ର ଗୋଲ ପରିଶୋଧ କରି ପାରିନଥିଲା । ଭାରତ 2-0 ଗୋଲରେ ମ୍ୟାଚକୁ ଜିତି ନେଇଥିଲା ।
50 ଅନ୍ତର୍ଜାତୀୟ ମ୍ୟାଚ ଖେଳିଲେ ଜ୍ୟୋତି: ଭାରତୀୟ ମିଡଫିଲ୍ଡର ଜ୍ୟୋତି ତାଙ୍କର 50ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଏନେଇ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଦିଆଯାଇଛି । ଭାରତ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ 2016 ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଚମ୍ପିଆନ ହୋଇଥିଲା ଭାରତ । 2013 ଓ 2018ରେ ରନର୍ସ ଅପ୍ ହୋଇଥିଲା ।