ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରୁ 4ଜଣ ଆଥଲେଟ ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ଜୁଲାଇ 23ରୁ ଆରମ୍ଭ ହେବାକୁ ଯାଉଥିବା ବିଶ୍ବ କ୍ରୀଡାର ଏହି ମେଗା ଇଭେଣ୍ଟରେ ଦିଲ୍ଲୀର ଯେଉଁ ଆଥଲେଟ ସ୍ବର୍ଣ୍ଣ ପଦକ ଜିତିବେ ତାଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ସରକାର । ସ୍ବର୍ଣ୍ଣ ପଦକ ଜିତିଲେ 3 କୋଟି, ରୌପ୍ୟ ପଦକ ବିଜେତାଙ୍କୁ 2 କୋଟି ପୁରସ୍କାର ରାଶି ଓ କାଂସ୍ୟ ପଦକ ବିଜେତାଙ୍କୁ 1 କୋଟି ପୁରସ୍କାର ଦେବେ ଦିଲ୍ଲୀ ସରକାର ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କ୍ରୀଡା ବିଶ୍ବବିଦ୍ୟାଳୟ କୁଳପତି କର୍ଣ୍ଣମ ମାଲେଶ୍ବରୀଙ୍କ ସହ ବୈଠକ ପରେ ଏହା ଘୋଷଣା କରିଛନ୍ତି । ଏଥିସହ ଆଥଲେଟଙ୍କୁ ଉତ୍ସାହିତ କରିବା ସହ କିପରି ଅଧିକ ସହଯୋଗ କରାଯାଇପାରିବ ଆଲୋଚନା କରିଛନ୍ତି ସିସୋଦିଆ ।