ବୁଦାପେଷ୍ଟ: ଭାରତ ଓ ପାକିସ୍ତାନକୁ ବିଭିନ୍ନ ସମୟରେ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାବେ ବିଚାର କରାଯାଏ । କୌଣସି ବି କ୍ରୀଡ଼ାରେ ଏହି ଦୁଇ ଦଳ ମଧ୍ୟରେ ପ୍ରତିଯୋଗିତା ହେଉଥିଲାବେଳେ ମାହୋଲ ସବୁବେଳେ ଉତ୍କଣ୍ଠାପୂର୍ଣ୍ଣ ରହିଥାଏ । ପଡ଼ିଆରେ ଯେତିକି ଉଷ୍ମତା ଥାଏ, ପ୍ରଶଂସକଙ୍କ ମଧ୍ୟରେ ତାହାଠୁ ଅଧିକ ଉନ୍ମାଦନା ଦେଖାଦେଇଥାଏ । କ୍ରିକେଟ୍ ହେଉ ବା ହକି କିମ୍ବା ଫୁଟବଲ୍, ଏହି ଦୁଇ ଦେଶ ମଧ୍ୟରେ ଖେଳ ହେବା ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଲଢେଇ ତୀବ୍ର ହୋଇଯାଇଥାଏ । ବର୍ତ୍ତମାନ ବୁଦାପେଷ୍ଟରେ ଚାଲିଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିଆନ୍ସିପ୍ ଫାଇନାଲ୍ରେ ମଧ୍ୟ ସମାନ ଧରଣର ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି । ଜାଭଲିନ୍ ଥ୍ରୋ ଫାଇନାଲରେ ଭାରତର ସୁନାପୁଅ ନୀରଜ ଚୋପ୍ରା ଓ ପାକିସ୍ତାନର ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଅର୍ଶଦ ନଦୀମଙ୍କ ମଧ୍ୟରେ ଲଢ଼େଇ ହେବ । ଏହା ପୂର୍ବରୁ କିନ୍ତୁ ନୀରଜଙ୍କୁ ଶ୍ରେଷ୍ଠ ଦର୍ଶାଇଛନ୍ତି ନଦୀମ ।
ଏଥର ବିଶ୍ବ ଆଥଲେଟିକ୍ସ ଚମ୍ପିଆନ୍ସିପ୍ ଫାଇନାଲରେ ଏବେ ପ୍ରମୁଖ ଆକର୍ଷଣ ପାଲଟିଛନ୍ତି ଭାରତୀୟ ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରା ଓ ପାକିସ୍ତାନର ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ଅର୍ଶଦ ନଦୀମ । ଶୁକ୍ରବାର ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ପ୍ରଥମ ପ୍ରୟାସରେ ୮୮.୭୭ ମିଟର୍ ଜାଭେଲିନ ଫିଙ୍ଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିଲେ । ସେପଟେ ଅର୍ଶଦ ପ୍ରଥମ ପ୍ରୟାସରେ ୭୦.୬୩ ମିଟର ଜାଭେଲିନ ଫିଙ୍ଗି ଦ୍ବିତୀୟ ପ୍ରୟାସରେ ୮୬.୭୯ ମିଟର ପକାଇ ଅଲିମ୍ପିକ ଯୋଗ୍ୟତା ହାସଲ କରିଥିଲେ । ଭାରତ ପାଇଁ ଏହି ଇଭେଣ୍ଟରେ ସବୁଠୁ ବଡ଼ ସଫଳତା ପାଲଟିଛନ୍ତି ସୁନାପୁଅ ନୀରଜ । ବିଶ୍ବସ୍ତରରେ ଏହି କ୍ରୀଡ଼ାବିତ୍ ଆଧିପତ୍ୟ ବିସ୍ତାର କରିଛନ୍ତି । ୨୦ ବର୍ଷରୁ କମ୍ ବିଶ୍ବ ଚମ୍ପିଆନ୍ସିପ୍ରେ ସ୍ବର୍ଣ୍ଣ ଜିତିବା ପରେ ସେ ଚର୍ଚ୍ଚାରେ ରହିଆସିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ଅଭିନବ ବିନ୍ଦ୍ରାଙ୍କ ପରେ ଶୀର୍ଷ ମାନ୍ୟତା ପାଇଛନ୍ତି ନୀରଜ ।
ଅର୍ଶଦ ମଧ୍ୟ ପାକିସ୍ତାନକୁ ବେଶ ଗର୍ବିତ କରାଇଛନ୍ତି । ୨୦୧୮ ଏସୀୟ କ୍ରୀଡ଼ାରେ ନୀରଜ ସ୍ବର୍ଣ୍ଣ ଜିତିଥିଲାବେଳେ କାଂସ୍ୟ ଜିତି ପାକିସ୍ତାନ ପାଇଁ ସଫଳତାର ଫର୍ଦ ଯୋଡ଼ିଥିଲେ ଅର୍ଶଦ । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୀରଜ ସ୍ବର୍ଣ୍ଣ ଜିତିଥିଲେ । ସେଠାରେ କିନ୍ତୁ ଅର୍ଶଦ ଅଷ୍ଟମରେ ରହିଥିଲେ । ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ନୀରଜ ସ୍ବର୍ଣ୍ଣ ପାଇଥିଲେ । ଅର୍ଶଦ ପୋଡିୟମ୍ ଫିନିସ୍ କରିପାରିନଥିଲେ ମଧ୍ୟ ପଞ୍ଚମ ସ୍ଥାନରେ ରହି ପାକିସ୍ତାନ ପାଇଁ ଗର୍ବର ବିଷୟ ପାଲଟିଥିଲେ । ସେତେବେଳେ ନୀରଜଙ୍କ ଠାରୁ ମାତ୍ର ୩ ମିଟର ଦୂରରେ ରହିଯାଇଥିଲେ ଅର୍ଶଦ । ଏହାପରେ ଆହତଜନିତ ସମସ୍ୟାରୁ ବାହାରି ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୀରଜଙ୍କ ପୂର୍ବରୁ ୯୦ ମିଟର ପାର୍ କରିଥିଲେ ଅର୍ଶଦ । ଏଠାରେ ୯୦.୧୮ ମିଟର ସହ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ ।