ନୂଆଦିଲ୍ଲୀ:ବର୍ତ୍ତମାନ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଟୋକିଓ ଅଲମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା । ଅଲମ୍ପିକ୍ସରେ ପଦକ ଜିତିବା ପରେ ତାଙ୍କ ସମ୍ପର୍କରେ ଜାଣିବା ପାଇଁ ସମସ୍ତେ ଆଗଭର ଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଜାଭଲିନ୍ ଥ୍ରୋଅର ନୀରଜ ଗତ ଶନିବାର ନିଜ ଜୀବନର ଏକ ସ୍ବପ୍ନକୁ ପୂରଣ କରିଛନ୍ତି ।
ନୀରଜ ପ୍ରଥମ ଥର ପାଇଁ ନିଜ ପିତାମାତାଙ୍କୁ ବିମାନରେ ବସାଇଛନ୍ତି । ସୁନାପୁଅ ନିଜ ଉଦ୍ୟମରେ ବାପାମାଆଙ୍କୁ ଦେଇଛନ୍ତି ପ୍ରଥମ ବିମାନ ଯାତ୍ରାର ଅନୁଭୂତି । ଏଥିଲାଗି ସେ ବେଶ ଖୁସିଥିବା କହିଛନ୍ତି ଏବଂ ଏ ସମ୍ପର୍କରେ ସେ ଟ୍ବିଟ କରି ନିଜର ଖୁସିବ୍ୟକ୍ତ କରିଛନ୍ତି । ସେ ନିଜ ଟ୍ବିଟରେ ଲେଖିଛନ୍ତି ଯେ ତାଙ୍କ ଜୀବନର ଏକ ଛୋଟ ସ୍ବପ୍ନ ଆଜି ପୂରଣ ହୋଇଛି । ସେ ନିଜ ପିତାମାତାଙ୍କୁ ପ୍ରଥମ ଥର ପାଇଁ ବିମାନ ଯାତ୍ରା କରାଇବାରେ ସକ୍ଷମ ହୋଇଛନ୍ତି । ଏନେଇ ସମସ୍ତଙ୍କ ଆଶୀର୍ବାଦ ପାଇଁ ସେ ସର୍ବଦା କୃତଜ୍ଞ ରହିବେ ବୋଲି ଟ୍ବିଟରେ କହିଛନ୍ତି ।