ଓଡିଶା

odisha

ETV Bharat / sports

ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ପଦକ ଜିତିଛନ୍ତି ଲକ୍ଷ୍ୟ ସେନ, ଜାଣନ୍ତୁ ତାଙ୍କ ସଫଳତା ଯାତ୍ରା ସମ୍ପର୍କରେ - ଲକ୍ଷ୍ୟ ସେନ ସଫଳତା କାହାଣୀ

ବର୍ମିଂହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ୟାଡମିଣ୍ଟନ ଇଭେଣ୍ଟ୍‌ର ପୁରୁଷ ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ ଯୁବ ସଟ୍‌ଲର୍‌ ଲକ୍ଷ୍ୟ ସେନ୍‌ । ଏହା ତାଙ୍କ ପ୍ରଥମ ରାଜ୍ୟଗୋଷ୍ଠୀ ପଦକ । ଜାଣନ୍ତୁ ଭାରତର ଏହି ଯୁବ ଖେଳାଳିଙ୍କ ବିଷୟରେ । ଅଧିକ ପଢନ୍ତୁ

ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ପଦକ ଜିତିଛନ୍ତି ଲକ୍ଷ୍ୟ ସେନ
ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ପଦକ ଜିତିଛନ୍ତି ଲକ୍ଷ୍ୟ ସେନ

By

Published : Aug 10, 2022, 10:14 AM IST

ହାଇଦ୍ରାବାଦ: ସଦ୍ୟ ସମାପ୍ତ ବର୍ମିଂହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ (Commonwealth Games 2022) ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅନ୍ତିମ ଦିନରେ 4ଟି ସ୍ବର୍ଣ୍ଣ ପଦକ ଜିତିଥିଲେ ଭାରତୀୟ କ୍ରୀଡାବିତ । ସେଥିରୁ ଗୋଟିଏ ସ୍ବର୍ଣ୍ଣ ପଦକ ଜିତି ସୁନାପୁଅ ପାଇଁ ସାଜିଥିଲେ ବ୍ୟାଡମିଣ୍ଟନ ଖେଳାଳି 20 ବର୍ଷୀୟ ଲକ୍ଷ୍ୟ ସେନ । ମାଲେସିଆର ଜେ ୟଙ୍ଗ୍‌ଙ୍କୁ ହରାଇ ଏହି ସଫଳତା ପାଇଥିଲେ ଲକ୍ଷ୍ୟ ସେନ। ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ତାଙ୍କ ପ୍ରଥମ ପଦକ। ଚଳିତ ବର୍ଷ ଥୋମାସ୍ କପ୍ ଜିତିଥିବା ଦଳର ସଦସ୍ୟ ଥିବା ଲକ୍ଷ୍ୟ ଭାରତର ଟପ୍ ସଟଲର ଭାବରେ ଉଭା ହୋଇଛନ୍ତି । ବୟସ ମାତ୍ର 20 ହେଲେ ତାଙ୍କ ସଫଳତା ରେକର୍ଡ ବହୁତ ଅଧିକ । ଆସନ୍ତୁ ଜାଣିବା ଉତ୍ତରାଖଣ୍ଡର ଲକ୍ଷ୍ୟ ସେନଙ୍କ ସଫଳତାର କାହାଣୀ ବିଷୟରେ ।

କିଏ ଲକ୍ଷ୍ୟ ସେନ:ଉତ୍ତରାଖଣ୍ଡର ଅଲମୋରା ଜିଲ୍ଲାରେ 2001 ଅଗଷ୍ଟ 16ରେ ଜନ୍ମଗ୍ରହଣ କରିଛନ୍ତି ଲକ୍ଷ୍ୟ । କ୍ରୀଡାରେ ସଫଳତା ହାସଲ ତାଙ୍କର ଲକ୍ଷ୍ୟ ଥିଲା । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ ସେ । ସ୍ପେନରେ ଆୟୋଜିତ ବିଶ୍ବ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ । ଜର୍ମାନ ଓପନରେ ରୌପ୍ୟ ପଦକ, ଅଲ ଇଂଲଣ୍ଡ ଟୁର୍ନାମେଣ୍ଟରେ ରୌପ୍ୟ, ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଓପନରେ ସ୍ବର୍ଣ୍ଣ ପଦକ ଏବଂ ଥୋମାସ କପରେ ଦଳକୁ ସ୍ବର୍ଣ୍ଣ ପଦକ ବିଜୟୀ କରାଇଥିଲେ 20 ବର୍ଷୀୟ ଲକ୍ଷ୍ୟ ସେନ।

10 ବର୍ଷ ବୟସରେ ଜିତିଥିଲେ ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ୍: ଲକ୍ଷ୍ୟ ସେନ୍ ଚାରି ବର୍ଷ ବୟସରେ ଖେଳିବା ଆରମ୍ଭ କରିଥିଲେ । ଦଶମ ପର୍ଯ୍ୟନ୍ତ ଲକ୍ଷ୍ୟଙ୍କ ଶିକ୍ଷା କେବଳ ଅଲମୋଡାର ବିୟରଶିବା ବିଦ୍ୟାଳୟରେ ହୋଇଥିଲା। ଲକ୍ଷ୍ୟ ସେନଙ୍କ ଜେଜେ ସିଏଲ୍ ସେନଙ୍କୁ ଅଲମୋଡାରେ ବ୍ୟାଡମିଣ୍ଟନର ପିତା କୁହାଯାଏ । ଲକ୍ଷ୍ୟଙ୍କ ପିତା ଡିକେ ସେନ୍ ବ୍ୟାଡମିଣ୍ଟନର ଜଣେ ଜଣାଶୁଣା ପ୍ରଶିକ୍ଷକ ଏବଂ ବର୍ତ୍ତମାନ ପ୍ରକାଶ ପାଦୁକୋନ୍ ଏକାଡେମୀ ସହିତ ଜଡିତ ଅଛନ୍ତି । ଲକ୍ଷ୍ୟ ସେନ୍ 10 ବର୍ଷ ବୟସରେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଟାଇଟଲ୍ ଜିତିଥିଲେ । ସେବେଠୁ ସେ ପଛକୁ ଚାହିଁ ନାହାଁନ୍ତି । ସଫଳତାର ପୃଷ୍ଠା ଲମ୍ବି ଚାଲିଛି ।

ଲକ୍ଷ୍ୟଙ୍କ ଜେଜେ ଥିଲେ ବ୍ୟାଡମିଣ୍ଟନ ଖେଳାଳି: ଲକ୍ଷ୍ୟଙ୍କ ଜେଜେବାପା ସିଏଲ୍ ସେନ୍ ମଧ୍ୟ ଜଣେ ବ୍ୟାଡମିଣ୍ଟନ ଖେଳାଳି ଥିଲେ । ସେ ଅନେକ ରାଜ୍ୟ ତଥା ଜାତୀୟ ସ୍ତରୀୟ ପ୍ରତିଯୋଗିତା ଜିତିଥିଲେ । ତାଙ୍କର ଆଗ୍ରହ ପାଇଁ ଅଲମୋରାରେ ବ୍ୟାଡମିଣ୍ଟନ ଆଗକୁ ବଢିଲା । ଏହି କାରଣରୁ ସେ ଅଲମୋରାରେ ବ୍ୟାଡମିଣ୍ଟନର ଅଗ୍ରଦୂତ ଭାବରେ ବିବେଚିତ ହୋଇଥିଲେ। ତାଙ୍କ ଉତ୍ତରାଧିକାରୀ ଲକ୍ଷ୍ୟ ସେନ ବର୍ତ୍ତମାନ ଏହାକୁ ଆଗକୁ ନେଇଛନ୍ତି । ସେ କେବଳ ରାଜ୍ୟ କିମ୍ବା ଦେଶରେ ନୁହେଁ, ସମଗ୍ର ବିଶ୍ବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

ଲକ୍ଷ୍ୟଙ୍କ ଭାଇ ମଧ୍ୟ ଜଣେ ବ୍ୟାଡମିଣ୍ଟନ ଖେଳାଳି: ଲକ୍ଷ୍ୟ ସେନଙ୍କ ବଡ ଭାଇ ଚିରାଗ ସେନ ମଧ୍ୟ ଜଣେ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି । ଜୁନିଅର ନ୍ୟାସନାଲ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଏବଂ ଜୁନିଅର ବିଶ୍ବ ଚାମ୍ପିଅନସିପରେ ଚିରାଗ ଦ୍ବିତୀୟ ସ୍ଥାନରେ ରହିଥିଲେ । 2018ରେ ଲକ୍ଷ୍ୟ ଜୁନିଅର ଏସିଆନ୍ ବ୍ୟାଡମିଣ୍ଟନ୍ ଚାମ୍ପିଅନସିପ୍ ଜିତିଥିଲେ । ସେବେଠାରୁ ସେ ପଛକୁ ଚାହିଁ ନାହାଁନ୍ତି । କ୍ରମାଗତ ଭାବରେ ବଡ ବଡ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି । ବିଶ୍ବ ଚାମ୍ପିଅନସିପ୍ ଏବଂ ଥୋମାସ୍ କପ୍ ପଦକ ପରେ ବର୍ତ୍ତମାନ କମନୱେଲଥ୍ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଲକ୍ଷ୍ୟ ।

ଲକ୍ଷ୍ୟ ସେନଙ୍କୁ ତାଙ୍କ ଲକ୍ଷ୍ୟରେ ପହଞ୍ଚିବାକୁ ତାଙ୍କ ପିତା ଡିକେ ସେନ୍ ତାଙ୍କ ଦିନରାତି ଏକ କରି ଦେଇଥିଲେ । ଡିକେ ସେନ୍ ତାଙ୍କ ଦୁଇ ପୁଅଙ୍କୁ ଭଲ ବ୍ୟାଡମିଣ୍ଟନ୍ ଖେଳାଳୀ କରିବାକୁ ଅଲମୋରା ଛାଡି ବେଙ୍ଗାଲୁରୁକୁ ଚାଲିଗଲେ । ତଥାପି ଅଲମୋରା ସହିତ ତାଙ୍କର ସମ୍ପର୍କ ଏବେ ବି ଅଛି । ଏବଂ ବିଶ୍ବ ଚାମ୍ପିଅନସିପରେ ଲକ୍ଷ୍ୟ ସେନ କାଂସ୍ୟ ଜିତିବା ପରେ ସେ ସେଠାକୁ ଯାଇଥିଲେ।

ମୁଖ୍ୟମନ୍ତ୍ରୀ ଧାମି ଦେଲେ ଶୁଭେଚ୍ଛା:କମନୱେଲଥ ଗେମ୍ସରେ ପୁରୁଷ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ଜିତିଥିବା ଲକ୍ଷ୍ୟ ସେନଙ୍କୁ ଚାରିଆଡୁ ଶୁଭେଚ୍ଛା ସୁଅ ଛୁଟିଥିଲା । ରାଷ୍ଟ୍ରପତିଙ୍କଠୁ ନେଇ ପ୍ରଧାନମନ୍ତ୍ରୀ ସମସ୍ତ ଲକ୍ଷ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଲକ୍ଷ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ସିଏମ୍ ଧାମି ଟ୍ବିଟ କରି ଲେଖିଥିଲେ, ''କମନ୍ୱେଲଥ୍ ଗେମ୍ସ 2022 ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ସହିତ ସ୍ବର୍ଣ୍ଣ ପଦକ ଜିତିବା ପାଇଁ ଉତ୍ତରାଖଣ୍ଡର ପୁଅ ଲକ୍ଷ୍ୟ ସେନଙ୍କୁ ଅଭିନନ୍ଦନ । ଐତିହାସିକ ପ୍ରଦର୍ଶନ ସହିତ ଆପଣ ରାଜ୍ୟ ତଥା ଦେଶର ନାମକୁ ଉଚ୍ଚକୁ ଉଠାଇଛନ୍ତି । ଆମେ ତୁମ ପାଇଁ ଗର୍ବିତ ।''

ABOUT THE AUTHOR

...view details