ରାଉରକେଲା : ଶେଷ ହୋଇଛି ହକି ବିଶ୍ବକପ ଉଦଘାଟନୀ ସମାରୋହ । ଉଦଘାଟନୀ ମହୋତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ଏବେ ସମସ୍ତଙ୍କ ନଜର ଟିମ ଇଣ୍ଡିଆ ମ୍ୟାଚ ଉପରେ । ସ୍ପେନ ବିପକ୍ଷରୁ ନିଜର ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଆସନ୍ତାକାଲି (ଶୁକ୍ରବାର) ମୁହାଁମୁହିଁ ହେବେ ଏହି ଦୁଇ ଟିମ । ଉଭୟ ଉଭୟଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ କରିଛନ୍ତି ଭିନ୍ନ ରଣନୀତି । ଟିମ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି କହିଛନ୍ତି କ୍ୟାପଟେନ ହରମନପ୍ରିତ ସିଂହ । ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଆସନ୍ତାକାଲି ସ୍ପେନକୁ ଭେଟିବ ଭାରତ । ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଟୁର ଏବଂ ପ୍ରୋ ଲିଗ ଖେଳି ଗତ 2ମାସ ଧରି ଭାରତୀୟ ଦଳ ଅଭ୍ୟାସ କରିଛି । ଡିଫେନ୍ସ ଏବଂ ଫରଓ୍ବାର୍ଡରେ ଦମଦାର ପ୍ରଦର୍ଶନ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ମେନ ଇନ ବ୍ଲୁ ।
ଦୁଇ ଓଡ଼ିଆ ପୁଅ ଅମିତ ରୋହିଦାସ ଏବଂ ନିଲମ ସଞ୍ଜୀବ ନିଜ ମାଟିରେ ଖେଳିବେ ହକି ବିଶ୍ବକପ । ଉଭୟଙ୍କ ଉପରେ ରହିବ ସମସ୍ତଙ୍କ ନଜର । ହୋମ ଟିମ ପାଇଁ ହୋମ କଣ୍ଡିସନ (ଘରୋଇ ପରିବେଶ) ସୁହାଇବ । ସବୁ ଟିମଠାରୁ ଆଗରୁ ଆସି ଏଠାରେ ପ୍ରାକ୍ଟିସ କରିଛୁ ଯେଉଁଥିପାଇଁ ଏହା ଆମପାଇଁ ଖୁବ ଲାଭ ଦାୟକ ହେବ । ବୋଲି କହିଛନ୍ତି କ୍ୟାପଟେନ ହରମନପ୍ରୀତ ସିଂହ । ଦଳରେ ଏଥର ସମସ୍ତ ଖେଳାଳି ଫର୍ମରେ ଅଛନ୍ତି ତେଣୁ ଟିମ ଖୁବ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ପ୍ରଶଂସକ । ସେପଟେ ସ୍ପେନ ହକି ଟିମ ବି କିଛି କମ ଶକ୍ତିଶାଳି ନୁହଁ । FIH ରାକିଂରେ ଦଳ ସ୍ପେନ ଅଷ୍ଟମ ସ୍ଥାନରେ ରହିଛି । ପ୍ରଥମ ବିଶ୍ବକପର ଆୟୋଜକ ଥିଲା ସ୍ପେନ । ଭାରତ ଓ ସ୍ପେନ ମଧ୍ୟରେ ଜୋରଦାର ଲଢେଇ ହେବା ନେଇ ଆଶା ରଖିଛନ୍ତି କ୍ରୀଡା ସମୀକ୍ଷକ । ଦୁଇ ଦଳର ଓଜନ ସମାନ ରହିଥିଲେ ମଧ୍ୟ ଭାରତ ତାର ଭିନ୍ନ ରଣକୌଶଳ ଆପଣାଇବ । ସେପଟେ ଭାରତରକୁ ଆଟାକିଂ ମୁଡରେ ଖେଳିବାକୁ ହେବ ବୋଲି କହିଛନ୍ତି ଅଲିମ୍ପିଆନ ଲାଜରୁଷ ବାର୍ଲା ।