ଭୁବନେଶ୍ବର: ସ୍ପେନ୍ ବିପକ୍ଷରେ ଇଂଲଣ୍ଡର ଜବରଦସ୍ତ ବିଜୟ । ଇଂଲିସ୍ ଟିମ ୪-୦ ଗୋଲରେ ସ୍ପେନକୁ ମାତ୍ ଦେଇଛି । ହକି ବିଶ୍ବକପ ୨୦୨୩ ଆଜି(ଗୁରୁବାର) ସପ୍ତମ ଦିନରେ ପହଞ୍ଚିଛି । ଆଜିର ମ୍ୟାଚରେ ତୃତୀୟ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ସ୍ପେନ୍ ବନାମ ଇଂଲଣ୍ଡ । ଇଂଲଣ୍ଡ ସ୍ପେନକୁ ୪-୦ ଗୋଲରେ ପରାସ୍ତ କରିଛି । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଉଭୟ ଦଳ ମଧ୍ୟରେ ଜୋରଦାର ଫାଇଟ ଦେଖିବାକୁ ମିଳିଥିଲା । ଶେଷରେ ଇଂଲଣ୍ଡ ୪ଟି ଗୋଲ୍ ଦେଇ ମ୍ୟାଚକୁ ନିଜ ସପକ୍ଷରେ ନେଇଥିଲା । ଏହି ବିଜୟ ସହ ଦଳ ୭ ପଏଣ୍ଟ ପାଇ ପୁଲ D ହକି ବିଶ୍ବକପ ୨୦୨୩ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅକ୍ତିଆର କରିଛି ।
ହକି ବିଶ୍ବକପ ୨୦୨୩ରେ ବିଜୟରୁ ବିଶ୍ବକପ ଅଭିଯାନ ଆରମ୍ଭ କରିଥିବା ଇଂଲଣ୍ଡ ସ୍ପେନ ବିପକ୍ଷରେ ସହଜ ବିଜୟ ହାସଲ କରିଛି । ସ୍ପେନ୍ ବିପକ୍ଷରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ମଇଦାନକୁ ଓହ୍ଲାଇଥିବା ଇଂଲଣ୍ଡ ପ୍ରାରମ୍ଭରୁ ଆଟାକିଂ ମୋଡରେ ଖେଳିବାକୁ ଲାଗିଥିଲା । ମ୍ୟାଚର ୧୧ ମିନିଟରେ ଇଂଲଣ୍ଡର ଫିଲ ରୋପେର ପ୍ରଥମ ଗୋଲ ଦେଇ ଖାତା ଖୋଲିଥିଲେ । ଏହା ପରେ ୨୨ ମିନିଟରେ ଡେଭିଡ କୋନଡୋନ ଦ୍ବିତୀୟ ଗୋଲ ଦେଇଥିଲେ । ପ୍ରଥମାର୍ଦ୍ଧ ବେଳକୁ ଦଳ ୨-୦ ଗୋଲରେ ଆଗୁଆ ରହିଥିଲା । ସ୍ପେନ୍ ହକି ଟିମ ଇଂଲଣ୍ଡ ବିପକ୍ଷରେ ଜୋରଦାର ଲଢେଇ କରିଥିଲେ ସୁଦ୍ଧା ପ୍ରଥମାର୍ଦ୍ଧରେ କୌଣସି ଗୋଲ ଦେବାରେ ବିଫଳ ରହିଥିଲା ।