ନୂଆଦିଲ୍ଲୀ: ଆଜିଠୁ କତାର ରାଜଧାନୀ ଦୋହାରେ ଆରମ୍ଭ ହେବାକୁ ଯାଉଛି ଡାଇମଣ୍ଡ ଲିଗ । ଟୋକିଓ ଅଲମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତର ସୁନା ପୁଅ ନୀରଜ ଚୋପ୍ରା ଏଥିରେ ଅଂଶ ଗ୍ରହଣ କରିବେ । ସମସ୍ତଙ୍କ ନଜର ନୀରଜଙ୍କ ପ୍ରଦର୍ଶନ ଉପରେ ରହିଛି । ଏଥର ଡାଇମଣ୍ଡ ଲିଗରେ ଦେଶ ପାଇଁ ସ୍ବର୍ଣ୍ଣ ଜିତିବେ ବୋଲି ଆଶା କରାଯାଉଛି ।
ଗତ ଡାଇମଣ୍ଡ ଲିଗ ପରଠୁ ସେ ଆଉ କୌଣସି ପ୍ରତିଯୋଗିତାରେ ଭାଗ ନେଇନାହାନ୍ତି । ଚଳିତ ବର୍ଷ ଦୋହାରେ ଆରମ୍ଭ ହେବାକୁ ଥିବା ବିଶ୍ବ ଆଥଲେଟ ଡାଇମଣ୍ଡ ଲିଗରୁ ସେ ତାଙ୍କ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ନୀରଜ ଏହି ପ୍ରତିଯୋଗିତାରେ ମୁଖ୍ୟ ଆକର୍ଷଣ ରହିବେ । ପୁରୁଷ ଜାଭଲିନରେ ପ୍ରତିନ୍ଦ୍ବନ୍ଦିତା ଜୋରଦାର ହେବାକୁ ଯାଉଛି । ଏହି ବିଭାଗରେ ନୀରଜ ଚୋପ୍ରାଙ୍କ ମୁକାବିଲା ଡିଫେଣ୍ଡିଂ ବିଶ୍ବଚାମ୍ପିଅନ ଗ୍ରେନେଡାର ଆଣ୍ଡରସନ ପିଟର୍ସ, ଟୋକିଓ ଅଲମ୍ପିକ୍ସ ରୌପ୍ୟ ପଦକ ବିଜେତା ଜାକୁବ ଭାଲେଡିଚଙ୍କ ସହ ହେବ । ତେଣୁ ଏଥିରେ କେଉଁ ପ୍ରତିଯୋଗୀ ବାଜି ମାରିବ ତାହା ଆକଳନ କରିବା କଷ୍ଟକର । ନୀରଜ ଚୋପ୍ରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ଜାଭଲିନରେ ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ 89.94 ମିଟର ରହିଛି । ଆଜିଠୁ ଆରମ୍ଭ ହେବାକୁ ଥିବା ଡାଇମଣ୍ଡ ଲିଗ ଫାଇନାଲ ଇଭେଣ୍ଟ ସେପ୍ଟେମ୍ବର 16 ଓ 17ରେ ୟୁନାଇଟେଡ ସ୍ଟେଟ ହାଏୱାର୍ଡରେ ଅନୁଷ୍ଠିତ ହେବ ।