ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତର ଦମଦାର ପ୍ରଦର୍ଶନ । ଆଥଲେଟିକ୍ସରେ ଭାରତକୁ ତୃତୀୟ ମେଡାଲ ଦେଲେ ପ୍ରିୟଙ୍କା ଗୋସ୍ବାମୀ । ମହିଳା ୧୦ କିଲୋମିଟର ରେସ୍ ୱାକ୍ରେ ସିଲଭର ମେଡାଲ ବିଜୟୀ ହୋଇଛନ୍ତି ପ୍ରିୟଙ୍କା । ୧୦ କିଲୋମିଟରକୁ ୪୩ ମିନିଟ ୩୮ ସେକେଣ୍ଡରେ ପହଞ୍ଚି ଇତିହାସ ରଚିଛନ୍ତି ଟୋକିଓ ୨୦୨୨ ଅଲମ୍ପିଆନ ପ୍ରିୟଙ୍କା ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀତା ୨୦୨୨ରେ ଭାରତୀୟ ଆଥେଲେଟମାନଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ମହିଳା ବର୍ଗର ୧୦ କିଲୋମିଟର ରେସ୍ ୱାକ୍ରେ ପ୍ରିୟଙ୍କା ଗୋସ୍ବାମୀ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ ସହିତ ପ୍ରଥମ ସ୍ଥାନରେ ରହିଥିଲେ ପ୍ରିୟଙ୍କା ।
ପ୍ରତିଯୋଗୀତାରେ କିଛି ସମୟ ପାଇଁ ସେ ପଛରେ ରହିଥିଲେ ମାତ୍ର ଶେଷ ପର୍ଯ୍ୟାୟରେ ପୁଣି ଉତ୍ତମ ପ୍ରଦର୍ଶନ ଫଳରେ ନିଜ ଲୟକୁ ଫେରିଥିଲେ । ଏହି ପ୍ରତିଯୋଗୀତାରେ ଅଷ୍ଟ୍ରେଲିଆର ଜେମିମା ମୋଣ୍ଟାଗ୍ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ କେନିଆର ଏମିଲି ୱାମୁସି ଙ୍ଗି ତୃତୀୟ ସ୍ଥାନରେ ବ୍ରୋଞ୍ଜ ପଦକ ହାତେଇଛନ୍ତି ।
ପ୍ରିୟଙ୍କାଙ୍କ ଏହି ଜବରଦସ୍ତ ପ୍ରଦର୍ଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରିୟଙ୍କାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଦେଶ ତୁମପାଇଁ ଗର୍ବିତ ।" ଅନ୍ୟପଟେ ପୂର୍ବତନ କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜିଜୁ ପ୍ରିୟଙ୍କାଙ୍କ ଏହି ପ୍ରଦର୍ଶନରେ ଖୁସିରେ ବିଭୋର ହୋଇଛନ୍ତି । ରିଜିଜୁ କହିଛନ୍ତି, ତୁମେ ୧୦ କିଲୋମିଟର ରେସ୍ ଇଭେଣ୍ଟରେ ପଦକ ଜିତି ଭାରତୀୟ କ୍ରୀଡାର ସ୍ତରକୁ ବହୁତ ଉଚ୍ଚକୁ ନେଇଯାଇଛ । ଆଗାମୀ ପିଢିର ଭାରତୀୟ କ୍ରୀଡାବିତ୍ ଏଥିରୁ ପ୍ରେରିତ ହେବେ ।"