ନୂଆଦିଲ୍ଲୀ: ଅଜରବୈଜାନର ବାକୁରେ ଚାଲିଥିବା FIDE ବିଶ୍ବକପ୍ ଫାଇନାଲରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ବିଶ୍ବର ଏକ ନମ୍ବର ମାନ୍ୟତାପ୍ରାପ୍ତ ନରୱେର ମାଗ୍ନସ୍ କାର୍ଲସେନ୍ଙ୍କ ବିପକ୍ଷରେ ବୁଧବାର ଅନୁଷ୍ଠିତ ଫାଇନାଲର ଦ୍ବିତୀୟ ଗେମ୍ ମଧ୍ୟ ଡ୍ର' ରହିଛି । ଏହା ପୂର୍ବରୁ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ଗେମ୍ ମଧ୍ୟ ଡ୍ର' ରହିଥିଲା । ତେଣୁ ଏବେ ସମସ୍ତଙ୍କ ନଜର ଗୁରୁବାର ଖେଳାଯିବାକୁ ଥିବା ଟାଇବ୍ରେକ୍ ଉପରେ । ଏଥିରେ ହିଁ ସ୍ଥିର ହେବ ଏହି ଚେସ୍ ଚମ୍ପିଆନ୍ କିଏ ।
ତେବେ ଆଜିର ଗେମ୍ ଡ୍ର' ହେବା ଓ ଟାଇବ୍ରେକ୍କୁ ନିର୍ଣ୍ଣାୟକ ଖେଳ ଯିବା ପରେ ମାଗ୍ନସ୍ କାର୍ଲସେନ୍ କହିଛନ୍ତି, "ମୁଁ ଭଲ ଭାବରେ ଜାଣିଛି ଯେ ପ୍ରଜ୍ଞାନନ୍ଦ ଜଣେ ବହୁତ ଭଲ ଖେଳାଳି । ସେ ବହୁତ ପ୍ରଭାବୀ ଖେଳାଳିଙ୍କ ସହ ବହୁ ଟାଇବ୍ରେକ୍ ଖେଳି ସାରିଛନ୍ତି । ହେଲେ ଯଦି ମୁଁ ଆଜି ଟିକିଏ ସୁସ୍ଥ ଥାଆନ୍ତି, ତେବେ ମୋ ପାଇଁ ଆଜି ଚାନ୍ସ ରହିଥିଲା । ତେବେ ମୋତେ ଚିକିତ୍ସା କରିଥିବା ଡାକ୍ତର ଓ ନର୍ସଙ୍କୁ ମୁଁ ଧନ୍ୟବାଦ ଦେଉଛି । ସେମାନଙ୍କ ପ୍ରଚେଷ୍ଟାରେ ଆଜି ମୁଁ ସାମାନ୍ୟ ସୁସ୍ଥ ଅନୁଭବ କରୁଛି । ହେଲେ ଆଶା କରୁଛି ଆସନ୍ତାକାଲି ଫାଇଟ୍ ପାଇଁ ଅଧିକ ସୁସ୍ଥ ରହିଥିବି ।"