ନୂଆଦିଲ୍ଲୀ: ମାସିକ ରେଡିଓ କାର୍ଯ୍ୟକ୍ରମ "ମନ୍ କି ବାତ୍"ରେ ଭାରତୀୟ ଅଲମ୍ପିକ ଯୋଗ୍ୟ ଆଥଲେଟଙ୍କୁ ଉତ୍ସାହିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶ ତମାମର ଖେଳାଳିମାନେ ରବିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟୋକିଓ ଅଲମ୍ପିକ ଗତବର୍ଷ ହେବାର ଥିଲା, ମାତ୍ର କୋରୋନା ମହାମାରୀ କାରଣରୁ ଚଳିତ ବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ମଧ୍ୟରେ ହେବାନେଇ ସ୍ଥିର ହୋଇଛି । ପ୍ରାୟ 100ରୁ ଅଧିକ ଭାରତୀୟ ଆଥଲେଟ ଏଯାବତ ଅଲମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ମୋଟ ସଂଖ୍ୟା 120ରୁ 130 ହେବ ବୋଲି ଆକଳନ କରାଯାଉଛି ।
"ମନ୍ କି ବାତ୍" କାର୍ଯ୍ୟକ୍ରମରେ ମୋଦି, ଭବାନୀ ଦେବୀ(ଫେନ୍ସିଂ), ଶିବପାଲ ସିଂହ(ଜାଭେଲିନ ଥ୍ରୋ) ଭଳି ଖେଳାଳିଙ୍କୁ ସ୍ବତନ୍ତ୍ର ଭାବେ ସ୍ମରଣ କରିଥିଲେ । ବନାରସର ପୁଅ ଶିବପାଲଙ୍କ ପୁରା ପରିବାର ଖେଳ ସହ ଜଡିତ । ତାଙ୍କର ପିତା, ଦାଦା ଓ ଭାଇ ସମସ୍ତ ଜାଭେଲିନ ଥ୍ରୋ ରେ ପାରଙ୍ଗମ । ଫଳରେ ପରିବାରିକ ପରମ୍ପରା ତାଙ୍କୁ ଟୋକିଓ ଅଲମ୍ପିକ୍ସରେ ପହଞ୍ଚାଇବାରେ ସହାୟକ ହୋଇଛି ବୋଲି ମୋଦି କହିଛନ୍ତି ।