ହଙ୍ଗଝୌ:ଚୀନରେ ଚାଲିଥିବା ଏସିଆନ ଗେମ୍ସରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟିଏ ଇଭେଣ୍ଟ୍ରେ ପଦକ ଭେଟି ଦେଇଛନ୍ତି କ୍ରୀଡ଼ାବିତ୍ । 19ତମ ଏସୀୟ କ୍ରୀଡ଼ାର ଆଜି ନବମ ଦିନରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ସ୍ପିଡ୍ ସ୍କେଟିଂ 3000 ମିଟରରେ ରିଲେ ରେସରେ ଉଭୟ ପୁରୁଷ ଓ ମହିଳା ଦଳ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ସହିତ ଭାରତର ପଦକ ସଂଖ୍ୟା 55 ଛୁଇଁଛି । ଯେଉଁଥିରେ 13ଟି ସ୍ବର୍ଣ୍ଣ ପଦକ ରହିଥିବା ବେଳେ 19ଟି ରୌପ୍ୟ ପଦକ ଓ 23ଟି ବ୍ରୋଞ୍ଜ୍ ପଦକ ରହିଛି । ଏହି ଇଭେଣ୍ଟରେ ଚୀନ 4:19.447 ସମୟ ନେଇ ପ୍ରଥମ ଓ ଦକ୍ଷିଣ କୋରିଆ 4:21.146 ସମୟ ନେଇ ରୌପ୍ୟ ପଦକ ହାସଲ କରିଛି ।
ସ୍ପିଡ ସ୍କେଟିଂ 3000ମିଟର ରିଲେ ରେସରେ ପୁରୁଷ ଦଳ ବ୍ରୋ଼ଞ୍ଜ ପଦକ ଜିତିଛି । ପୁରୁଷ ରିଲେ ରେସ୍ ଦଳରେ ଆନନ୍ଦ କୁମାର, ଆର୍ଯ୍ୟନ ପାଲ, ସିଦ୍ଧାନ୍ତ ଓ ବିକ୍ରମ ଭାରତକୁ ବ୍ରୋଞ୍ଜ ପଦକ ଭେଟି ଦେଇଛନ୍ତି । 4:10.128 ସମୟରେ ନେଇ ତୃତୀୟ ସ୍ଥାନରେ ରହିଥିଲେ । ସେହିପରି ସ୍ପିଡ ସ୍କେଟିଂ 3000ମିଟର ରିଲେ ରେସରେ ମହିଳା ଦଳ ବ୍ରୋ଼ଞ୍ଜ ପଦକ ଭେଟି ଦେଇଛନ୍ତି । ମହିଳା ଦଳରେ ଥିବା ହିରାଲ, କାର୍ତ୍ତିକା ଓ ଆରଥୀ 4:34.861 ସମୟ ରେସ ପୂରଣ କରି ବ୍ରୋଞ୍ଜ ପଦକ ଜିତିଛନ୍ତି । ବ୍ୟକ୍ତିଗତ ପୁରୁଷ ସ୍ପିଡ ସ୍କେଟିଂ 1000ମିଟରରେ ବିକ୍ରମ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ । ସେ 1:29.952 ଟାଇମିଂ ସହ ଚତୁର୍ଥ ସ୍ଥାନରେ ରହିଥିଲେ ।