ନୂଆଦିଲ୍ଲୀ:ଚୀନରେ ହାଙ୍ଗଝୌରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟିଏ ପଦକ ଭେଟି ଦେଉଛନ୍ତି ଭାରତୀୟ କ୍ରୀଡାବିତ୍ । ନବମ ଦିନର ଭାରତକୁ ମୋଟ 7ଟି ପଦକ ମିଳିଥିଲା । ସ୍ବର୍ଣ୍ଣ ପଦକ ଶୂନ ରହିଥିଲେ ବି 3ଟି ରୌପ୍ୟ ଓ 4ଟି ବ୍ରୋଞ୍ଜ ପଦକ ମିଳିଥିଲା । ଏହା ସହିତ ଭାରତର ପଦକ ସଂଖ୍ୟା 60ରେ ପହଞ୍ଚିଛି । ଆଗକୁ ଭାରତର ଏହିପରି ପ୍ରଦର୍ଶନ ଜାରି ରହିଲେ ଏଥରେ ପଦକ ସଂଖ୍ୟା 100ପାର କରିବାର ଲକ୍ଷ୍ୟ ପୂରଣ ହେବ ବୋଲି ଅନୁମାନ କରାଯାଉଛି । ନବମ ଦିନରେ ଉଭୟ ପୁରୁଷ ଓ ମହିଳା ସ୍ପିଡ୍ ସ୍କେଟିଂ ରିଲେ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଷ୍ଟିପଲଚେଜ, ଟିଟିରେ ଭାରତକୁ ପଦକ ମିଳିଥିଲା । ସମସ୍ତଙ୍କ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଶୁଭେଚ୍ଛା ଜଣାଇଛନ୍ତି ।
ଟିଟି ମହିଳା ଡବଲ୍ସରେ ପ୍ରଥମ ପଦକ: ଏସୀୟ କ୍ରୀଡାର ଟେବୁଲ ଟେନିସରେ ଭାରତୀୟ ପ୍ରତିଯୋଗୀ ଐତିହାସିକ କାଂସ୍ୟ ପଦକ ଜିତିଛନ୍ତି । ବେଙ୍ଗଲର ସୁତୀର୍ଥା ମୁଖାର୍ଜୀ ଓ ଆହିକା ମୁଖାର୍ଜୀ ଟିଟିରେ ଏହି ପଦକ ହାସଲ କରିଛନ୍ତି । ସେମିଫାଇନାଲରେ ହାରିଯିବା ପରେ କାଂସ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଦୁଇ ସାଙ୍ଗ ସୁତୀର୍ଥା ଓ ଆହିକା 7 ସେଟ ବିଶିଷ୍ଟ ସେମିଫାଇନାଲ ମୁକାବିଲାରେ ଉତ୍ତର କୋରିଆ ପ୍ରତିଯୋଗୀଙ୍କଠୁ ପରାଜିତ ହୋଇଥିଲେ । କ୍ବାର୍ଟର ଫାଇନାଲରେ ଏହି ଯୋଡି ଚୀନ ପ୍ରତିଯୋଗୀଙ୍କୁ ହରାଇଥିଲେ ।
ଲଙ୍ଗ ଜମ୍ପରେ ରୌପ୍ୟ ଜିତିଲେ ଆନସି:ମହିଳା ଲମ୍ବ ଡିଆଁରେ ଉଲ୍ଲେଖ୍ୟନୀୟ ପ୍ରଦର୍ଶନ କରି ଭାରତର ଆନସି ସୋଜାନ ରୌପ୍ୟ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ଆନସି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ପ୍ରଥମେ 6.56 ଓ ଦ୍ବିତୀୟରେ 6. 63 ଲମ୍ବ ଡିଆଁ ମାରି ଦ୍ବିତୀୟ ସ୍ଥାନରେ ରହିଥିଲେ । ଚୀନର ଶିକି ଜିଓଙ୍କ 6.73 ମିଟର ଡେଇଁ ସ୍ବର୍ଣ୍ଣ ପଦକ ଓ ଭିଏତନାମରେ ଏନଗା ୟାନ ହୁଏ 6.50 ମିଟର ଡେଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।
ମିକ୍ସଡ ରିଲେ ଦଳକୁ ରୌପ୍ୟ: 4ଗୁଣା 400ମିଟର ମିକ୍ସଡ ରିଲେ ଦଳ ରୌପ୍ୟ ପଦକ ଜିତିଛନ୍ତି । ଦଳରେ ଥିବା ମହମ୍ମଦ ଅଜମାଲ, ବିଥ୍ୟା ରାମରାଜ, ରାଜେଶ ରମେଶ ଓ ଭେଙ୍କଟେସନ ସୁଭ ରୌପ୍ୟ ପଦକ ଭେଟି ଦେଇଥିଲେ । 3:14.34 ଟାଇମିଂ ନେଇ ଦ୍ବିତୀୟ ସ୍ଥାନରେ ରହି ଏହି ସଫଳତା ହାସଲ କରିଛନ୍ତି ମିକ୍ସଡ ରିଲେ ଦଳ ।