ହାଇଦ୍ରାବାଦ :ଅଷ୍ଟ୍ରେଲିଆ ଓପନ ୨୦୨୩ ମହିଳା ସିଙ୍ଗଲ୍ସ ଟାଇଟଲ ହାତେଇଲେ ବେଲାରୁସର ଅରିନା ସବାଲେଙ୍କା । ଆଜି (ଶନିବାର) ଖେଳାଯାଇଥିବା ଫାଇନାଲ ମୁକାବିଲାରେ କାଜାକସ୍ଥାନର ଏଲିନା ରିବୋକିନାଙ୍କୁ ପରାସ୍ତ କରି ଟାଇଟଲ ବାଜି ମାତ୍ କରିବାରେ ସଫଳ ହୋଇଛନ୍ତି । ୪-୬, ୬-୩, ୬-୪ ସେଟରେ ଏଲିନା ରିବୋକିନାଙ୍କୁ ପରାସ୍ତ କରିଥିଲେ ଅରିନା ସବାଲେଙ୍କା । ଉଭୟଙ୍କ ମଧ୍ୟରେ ଦୁଇ ଘଣ୍ଟା ୨୮ ମିନିଟ ଧରି କଡା ମୁକାବିଲା ହୋଇଥିଲା । ତେବେ ବେଲାରୁସର ଅରିନା ସବାଲେଙ୍କା ପ୍ରଥମ ଥର ପାଇଁ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି । ସେପଟେ ଏଲିନା ରିବୋକିନା ଦ୍ବିତୀୟ ଥର ପାଇଁ ଗ୍ରାଣ୍ଡ ସ୍ଲାମରେ ପରାଜୟର ମୁହଁ ଦେଖିଛନ୍ତି ।
ପ୍ରଥମ ସେଟରେ ଅରିନା ସବାଲେଙ୍କାଙ୍କ ପ୍ରଦର୍ଶନ ଆଖିଦୃଶିଆ ରହିନଥିଲା । ପ୍ରଥମ ସେଟରେ ତାଙ୍କର ଖରାପ ପ୍ରଦର୍ଶନ ସହିତ ସେ ଏଲିନା ରିବୋକିନାଙ୍କଠାରୁ ପଏଣ୍ଟରେ ପଛରେ ରହିଥିଲେ । ପରେ ଦ୍ବିତୀୟ ସେଟରେ ଜବରଦସ୍ତ କମ ବ୍ୟାକ କରିଥିଲେ ଅରିନା ସବାଲେଙ୍କା । ଦ୍ବିତୀୟ ଏବଂ ତୃତୀୟ ସେଟରେ ସେ ନିଜର ଉଚ୍ଚକୋଟୀର ପ୍ରଦର୍ଶନ ବଲରେ ପ୍ରତିଦ୍ବନ୍ଦୀ ଏଲିନା ରିବୋକିନାଙ୍କୁ ମାତ୍ ଦେବାରେ ସଫଳ ହୋଇଥିଲେ । ୨୪ ବର୍ଷିୟ ଅରିନା ସବାଲେଙ୍କା ପ୍ରଥମ ସେଟରେ ୬-୪ରେ ପରାସ୍ତ ହୋଇଥିଲେ । ଏହା ପରେ ଦ୍ବିତୀୟ ସେଟରେ ୬-୩ ପଏଣ୍ଟରେ କମବ୍ୟାକ କରିଥିଲେ । ଉଭୟଙ୍କ ମୁକାବିଲା ୧-୧ରେ ବରାବର ରହିଥିଲା । ସେପେଟେ ତୃତୀୟ ତଥା ଅନ୍ତିମ ସେଟ ସବଲେଙ୍କା ୬-୪ ରେ ପ୍ରତିଦ୍ବନ୍ଦୀ ଏଲିନା ରିବୋକିନାଙ୍କୁ ପରାସ୍ତ କରିଥିଲେ ।