ନୂଆଦିଲ୍ଲୀ:ଟୋକିଓ ଅଲମ୍ପିକ୍ସ ପାଇଁ 26 ଜଣିଆ ଟିମ ଘୋଷଣା କରିଛି ଭାରତୀୟ ଆଥଲେଟିକ ମହାସଂଘ । ଜୁଲାଇ 31ରୁ ଅଲମ୍ପିକ୍ସର ଆଥଲେଟିକ୍ସ ଇଭେଣ୍ଟ ଆରମ୍ଭ ହେବ ଓ ଅଗଷ୍ଟ 9 ପର୍ଯ୍ୟନ୍ତ ଖେଳାଯିବ । ମେଗା ଇଭେଣ୍ଟରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି ଆଶାବାଦୀ ଥିବା କହିଛନ୍ତି, AFI ସଭାପତି ଆଡିଲେ ଜେ. ସୁମରିୱାଲା ।
"ଅଲମ୍ପିକ୍ସ ଖେଳ ପାଇଁ ଶାରୀରିକ ଓ ମାନସିକ ସ୍ତରରେ ବେଶ ଭଲ ପ୍ରସ୍ତୁତି ହୋଇଛି । କଠିନ ସମୟରେ ମଧ୍ୟ ବିଶ୍ବର ଅନେକ ଆଥଲେଟ ନିଜ ଫର୍ମ ବଜାୟ ରଖିବା ସହ ମେଗା ଇଭେଣ୍ଟରେ ଭଲ ପ୍ରଦର୍ଶନ କରିବେ," ଏହା କହିଛନ୍ତି ସୁମରିୱାଲା ।
ଟିମରେ ଥିବା ପ୍ରାୟ 12ଜଣ ଆଥଲେଟ ନିଜର ବିଶ୍ବ ମାନ୍ୟତା ଆଧାରରେ ଅଲମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । ଦୂତୀ ଚାନ୍ଦ(ମହିଳା 100 ମିଟର ଓ 200 ମିଟର), ଏମପି ଜାବିର(ପୁରୁଷ 400ହର୍ଡଲସ), ଗୁରପ୍ରୀତ ସିଂହ(ପୁରୁଷ 50 କିଲୋମିଟର ରେସ ୱାକ୍) ଓ ଅନୁ ରାନୀ(ମହିଳା ଜାଭେଲିନ ଥ୍ରୋ)ଙ୍କ ପରି ଷ୍ଟାର ଖେଳାଳି ମାନ୍ୟତା ଆଧାରରେ ଅଲମ୍ପିକ ଖେଳିବେ ।