ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ଜଣେ ଆଥଲେଟ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତେବେ ଜାତୀୟ ସୁଟିଂ ଶିବିରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତୀୟ କ୍ରୀଡ଼ା ପ୍ରାଧିକରଣ(sports autority of india) ପକ୍ଷରୁ କୁହାଯାଇଛି। 2021ବର୍ଷ ଅଲିମ୍ପିକ୍ସ ପାଇଁ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ଆଥଲେଟମାନେ ତାଲିମ ନେଉଛନ୍ତି।
ଗତମାସରେ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ତାଲିମ ଆରମ୍ଭ କରିବା ପାଇଁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ଅନୁମତି ଦିଆଯାଇଥିଲା। ତେବେ 10 ମିଟର ସୁଟିଂ ରେଞ୍ଜର ଜଣେ ଆଥଲେଟ ନିଜ କୋଚଙ୍କଠାରୁ କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜ ପକ୍ଷରୁ ସମ୍ପୃକ୍ତ ଆଥଲେଟଙ୍କ ପରିଚୟ ପ୍ରକାଶ କରାଯାଇନାହିଁ।
ଏନେଇ ଭାରତୀୟ କ୍ରୀଡ଼ା ପ୍ରାଧିକରଣ କହିଛି ଯେ, ଜଣେ 10 ମିଟର ରେଞ୍ଜ ସୁଟର କୋରୋନା ସଂକ୍ରମିତ ହୋଇଛନ୍ତି। ସମ୍ପୃକ୍ତ ଆଥଲେଟଙ୍କ କୋଚ କିଛି ଦିନ ତଳେ କୋରୋନା ସଂକ୍ରମିତ ହୋଇଥିଲେ। ଏହାପରେ ଆଥଲେଟଙ୍କ କୋରୋନା ଯାଞ୍ଚ କରାଯାଇଥିଲା। ତେବେ ଆଜି(ରବିବାର) ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଆଥଲେଟ ଜଣକ ଅକ୍ଟୋବର 28 ତାରିଖରେ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ତାଲିମ ନେବାକୁ ଉପସ୍ଥିତ ରହିଥିଲେ। ତେବେ ସେହି ସମୟରେ ଯେଉଁମାନେ ଡକ୍ଟର କର୍ଣ୍ଣି ସିଂହ ସୁଟିଂ ରେଞ୍ଜରେ ରହିଥିଲେ ସେମାନଙ୍କୁ 14 ଦିନ ଆଇସୋଲେସନର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ସେହି ସମୟରେ ଥିବା ଅନ୍ୟ କର୍ମଚାରୀଙ୍କୁ ମଧ୍ୟ 14 ଦିନ ପାଇଁ କ୍ବାରେଣ୍ଟିନରେ ରହିବାକୁ କୁହାଯାଇଛି।