ଟୋକିଓ: ଭାରତୀୟ ମହିଳା ହକି ଟିମ ପ୍ରଥମ ଥର ପାଇଁ ଅଲମ୍ପିକ ସେମିଫାଇନାଲରେ ପହଞ୍ଚି ଇତିହାସ ରଚିଛି । ଆଉ କିଛି ସମୟ ପରେ ଅର୍ଥାତ ଆଜି(ବୁଧବାର) ଅପରାହ୍ନ ୩.୩୦ରେ ଆର୍ଜେଣ୍ଟିନା ବିପକ୍ଷରେ ରାନୀ ରାମପାଲଙ୍କ ଟିମ ସେମିଫାଇନାଲ ଖେଳିବ । ଏହି ମ୍ୟାଚରେ ବିଜୟ ସହ ଫାଇନାଲ ଟିକେଟ ହାତେଇବା ଟିମର ଲକ୍ଷ୍ୟ ରହିଛି ।
କ୍ବାର୍ଟର ଫାଇନାଲରେ ବିଶ୍ବର ନମ୍ବର ୨ ଅଷ୍ଟ୍ରେଲିଆକୁ ହରାଇବା ପରେ ଟିମର ମନୋବଳ ଉଚ୍ଚ ରହିଛି । ଦୃଢ ଆତ୍ମବିଶ୍ବାସ ସହ ଆର୍ଜେଣ୍ଟିନା ଆହ୍ବାନକୁ ପାର୍ କରିବାକୁ ଭାରତ ଲକ୍ଷ୍ୟ ରଖିଛି । ଚଳିତ ଅଲମ୍ପିକ ହକି ଟୁର୍ଣ୍ଣାମେଣ୍ଟରେ ଆଶାଠାରୁ ଢେର ଅଧିକ ପ୍ରଦର୍ଶନ କରିଛନ୍ତି ଭାରତୀୟ ମହିଳା ହକି ଟିମ । ଟିମ ପାଖରେ ହରାଇବାକୁ କିଛି ନାହିଁ, ଶୀର୍ଷ ଟିମ ବିପକ୍ଷରେ ଖେଳିବାର ଅନୁଭବ ହାସଲ ସହ ଅଲମ୍ପିକ ଫାଇନାଲ ଖେଳିବାର ସୁବର୍ଣ୍ଣ ସୁଯୋଗକୁ ହାତଛଡା କରିବାକୁ ଚାହିଁବନି ଭାରତ ।
ଅଲମ୍ପିକ ଆରମ୍ଭ ପୂର୍ବରୁ ବିଶ୍ବ ମାନ୍ୟତାର ନବମ ସ୍ଥାନରେ ରହିଥିଲା ଭାରତୀୟ ମହିଳା ହକି ଟିମ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ସଫଳତାର ନୂଆ ଅଧ୍ୟାୟ ଯୋଡି ଥିଲେ ।
ରାନୀ ରାମପାଲଙ୍କ ଟିମକୁ ଗ୍ରୁପ ପର୍ଯ୍ୟାୟରେ ବିଶ୍ବର ନମ୍ବର ୧ ଟିମ ନେଦରଲାଣ୍ଡ ଠାରୁ ୧-୫, ଜର୍ମାନୀ ଠାରୁ ୦-୨ ଓ ଗ୍ରେଟ ବ୍ରିଟେନ ଠାରୁ ୧-୪ ପରାଜୟର ସାମ୍ନା କରିବାକୁ ପଡିଥିଲା ।