ଟୋକିଓ:41 ବର୍ଷର ଅପେକ୍ଷା ହେଲା ଅନ୍ତ । ଅଲମ୍ପିକ୍ସରେ ପଦକ ଜିତିଛି ଭାରତୀୟ ପୁରୁଷ ହକି ଟିମ । ୧୯୮୦ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳ ଆଜି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛି । ଜର୍ମାନୀକୁ ୫-୪ରେ ପରାସ୍ତ କରି ଏହି ପଦକ ହାସଲ କରିଛି ଭାରତୀୟ ଦଳ।
ଖେଳ ଆରମ୍ଭ ହେବାର ଦ୍ବିତୀୟ ମିନିଟ୍ରେ ଜର୍ମାନୀ ପ୍ରଥମ ଗୋଲ୍ ଦେଇଥିଲା । ଏହା ପରେ ଜର୍ମାନୀ ୪ଟି ପେନାଲ୍ଟି କର୍ଣ୍ଣର ପାଇଥିଲା । ହେଲେ ସେଗୁଡ଼ିକୁ ଗୋଲରେ ପରିଣତ କରିପାରି ନଥିଲା। ଭାରତ ପକ୍ଷରୁ ବି କିଛି ଗୋଲ୍ ହୋଇ ନଥିଲା। ଫଳରେ ପ୍ରଥମ ରାଉଣ୍ଡରରେ ଭାରତ ୦-୧ରେ ପଛୁଆ ଥିଲା ।
ଦ୍ବିତୀୟ କ୍ବାର୍ଟର ପ୍ରାରମ୍ଭରେ ଜର୍ମାନୀ ଉପରେ ଏକ ଗୋଲ୍ ଦେଇଥିଲା ଭାରତ । ସିମରନଜୀନ ସିଂହ ଏହି ଗୋଲ୍ଟି ଦେଇଥିଲେ। ଆଉ ଏହା ସହିତ ଦୁଇ ଦଳ ବରାବର ସ୍ଥିତିରେ ପହଞ୍ଚି ଥିଲେ । କିନ୍ତୁ ଏହା ପରେ ଜର୍ମାନୀ ଦୁଇଟି ଗୋଲ ଦେଇଥିଲା ଏବଂ ୩-୧ରେ ଆଗୁଆ ରହିଥିଲା । ତେବେ ଦ୍ବିତୀୟ କ୍ବାର୍ଟର ଶେଷ ବେଳକୁ ଭାରତ ଆଉ ଦୁଇ ଗୋଲ୍ ଦେବାରେ ସଫଳ ହୋଇଥିଲା ।
ଦ୍ବିତୀୟ କ୍ବାର୍ଟର ଶେଷ ସୁଦ୍ଧା ଦୁଇ ଦଳ ୩-୩ରେ ବରାବର ରହିଥିଲେ। ଦ୍ବିତୀୟ ରାଉଣ୍ଡରେ ଭାରତ ପକ୍ଷରୁ ହାର୍ଦ୍ଦିକ ସିଂହ ଓ ହରମନପ୍ରୀତ୍ ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ତୃତୀୟ ରାଉଣ୍ଡରେ ଭାରତର ନିରାଶ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଏହି ସମୟରେ ରୁପିନ୍ଦର ପଲ ଏକ ଗୋଲ ଦେଇଥିଲେ । ଫଳରେ ଦଳ ୪-୩ରେ ଆଗୁଆ ରହିଥିଲା। ଏହା ପରେ ସିମରନଜୀତ୍ ସିଂହ ଆଉ ଏକ ଗୋଲ୍ ଦେଇଥିଲା । ଏହା ସହିତ ତୃତୀୟ ରାଉଣ୍ଡର ଶେଷ ସୁଦ୍ଧା ଦଳ ୫-୩ରେ ଆଗୁଆ ରହିଥିଲା ।
ଚତୁର୍ଥ ରାଉଣ୍ଡର ପ୍ରଥମ ୫ ମିନିଟ ପରେ ଜର୍ମାନୀ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲା । ମ୍ୟାଚ୍କୁ ୪-୫ ସ୍ଥିତିକୁ ନେଇଯାଇଥିଲା ଜର୍ମାନୀ । ଆଉ ଗୋଟିଏ ଗୋଲ କରି ସ୍ଥିତି ବରାବର କରିବାକୁ ଜୋରଦାର ଚେଷ୍ଟା କରିଥିଲା ଜର୍ମାନୀ ହେଲେ ଆଉ ଗୋଲ୍ କରି ପାରି ନଥିଲା । ଭାରତ ବି ଏହି ରାଉଣ୍ଡରେ ଆଉ କୌଣସି ଗୋଲ୍ କରିନଥିଲା ଶେଷରେ ୫-୪ରେ ଭାରତୀୟ ଦଳ ବିଜୟୀ ହୋଇଥିଲା ।
ବିଜୟରେ ଉତ୍ସବ ମୁଖର ସାରା ଦେଶ । ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଖିରୁ ଝରୁଛି ଖୁସିର ଲୁହ । ସ୍ବର୍ଣ୍ଣ ନ ହେଲା ନାହିଁ ବ୍ରୋଞ୍ଜ ଜିତି ଦେଶ ପାଇଁ ଗୌରବ ଆଣିଛି ଭାରତୀୟ ପୁରୁଷ ହକି ଟିମ । ଦଳର ସଫାଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଐତିହାସିକ ବିଜୟ ହକି ଖେଳରେ ଏକ ନୂଆ ଯୁଗ ଆରମ୍ଭ କରିଛି ବୋଲି କହିଛନ୍ତି ରାଷ୍ଟ୍ରପତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ