ଭୁବନେଶ୍ବର: ପୁଣିଥରେ ହକିମୟ ହେବ ରାଜଧାନୀ ଭୁବନେଶ୍ବର । ରାକ୍ଷସ ରୂପି ବାତ୍ୟା ଫନି ବିଭୀଷିକାରେ ଛାରଖାର ହୋଇଯାଇଥିଲା କଳିଙ୍ଗ ଷ୍ଟାଡିୟମ । ତେବେ ଚଳିତ ମାସ ଶେଷ ସୁଦ୍ଧା କଳିଙ୍ଗ ଷ୍ଟାଡିୟମ ପୁଣି ତାର ପୁରୁଣା ଚମକ ଫେରିପାଇବ ବୋଲି ଆଶା କରାଯାଉଛି । ଇତିମଧ୍ୟରେ ଜୁନ 6ରୁ 15 ପର୍ଯ୍ୟନ୍ତ ଚାଲିବାକୁ ଥିବା FIH ସିରିଜ ଫାଇନାଲ୍ସ ପାଇଁ ରାଜଧାନୀରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଦଳ ।
ଅଧିନାୟକ ମନପ୍ରୀତ ସିଂଙ୍କ ନେତୃତ୍ବରେ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ । ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବ ହକି ଶିବିର । ଯେଉଁଠି ଭାରତୀୟ ହକି ଦଳ ସିରିଜ ପାଇଁ ତାର ପ୍ରସ୍ତୁତ ଜାରି ରଖିବ । ଏନେଇ କଳିଙ୍ଗ ଷ୍ଟାଡିୟମକୁ କମିଶନରେଟ ପୋଲିସ ସୁରକ୍ଷା ବଳୟରେ ରଖାଯିବ । ସେପଟେ ବିମାନ ବନ୍ଦରଠୁ ନେଇ ହୋଟେଲ ପର୍ଯ୍ୟନ୍ତ ସବୁଠି ମଧ୍ୟ ସୁରକ୍ଷା କଡାକଡି କରାଯିବ । ଖେଳାଳିମାନେ 5ଟି ହୋଟେଲରେ ରହିବା ପାଇଁ ବ୍ୟବସ୍ଥା ହୋଇଛି । ଏହି ହୋଟେଲ ଗୁଡିକୁ ସ୍ବତନ୍ତ୍ର ସୁରକ୍ଷା ମଧ୍ୟରେ ରଖାଯିବ ବୋଲି ଗତକାଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଥିଲେ । ଅନ୍ୟପଟେ ଆଗାମୀ 29 ରୁ 3 ତାରିଖ ମଧ୍ୟରେ ବିଦେଶୀ ଦଳ ଓଡିଶାରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।