ରାଉରକେଲା: ଓଡିଶାକୁ ଫେରିଛି ବିଶ୍ବକପ ହକି । 2018 ପରେ ଆଗାମୀ 2023 ହକି ବିଶ୍ବକପ ଆୟୋଜନ ପାଇଁ ସଜବାଜ ହେଉଛି ଓଡିଶା । ମାତ୍ର ଏଥର ରହିଛି ଦୁଇଟି ଭେନ୍ୟୁ । ଭୁବନେଶ୍ବର ସହ ଷ୍ଟିଲ ସିଟି ରାଉରକେଲାରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ । ତେବେ ପ୍ରଥମଥର ପାଇଁ ଏତେ ବଡ ଟୁର୍ଣ୍ଣାମେଣ୍ଟର ମୁକସାକ୍ଷୀ ହେବାକୁ ଯାଉଥିବା ଇସ୍ପାତ ନଗରୀର ଭିତ୍ତିପ୍ରସ୍ତର ସ୍ଥାପନା ରାଜ୍ୟ ସରକାରଙ୍କ ପାଇଁ ପାଲଟିଛି ବିଗ ଚ୍ୟାଲେଞ୍ଜ । ଅନ୍ୟପଟେ ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ ଜିଲ୍ଲାରେ ଏବେ ଖୁସିର ଲହରୀ ।
ତେବେ ରାଉରକେଲାର ନବକଳେବର ପାଇଁ ସାର୍ଟ ସିଟି ପ୍ରୋଜେକ୍ଟରେ ରାଜ୍ୟ ସରକାର ଘୋଷଣା କରିଛନ୍ତି 600 କୋଟି ଟଙ୍କାର ଅର୍ଥରାଶି । ରାଉରକେଲାକୁ ନୂଆ ରୂପ ଦେବା ପାଇଁ ଏହି ବଜେଟରେ ବିଭିନ୍ନ ଦିଗକୁ ଦିଆଯାଇଛି ଗୁରୁତ୍ବ । ତେବେ ନଜର ପକାନ୍ତୁ କେଉଁ କେଉଁ କାମ ପାଇଁ ଖର୍ଚ୍ଚ ହେବ କେତେ ଟଙ୍କା । ପ୍ରଥମ ଓ ଦ୍ବିତୀୟ ଫେଜରେ ରହିଛି ରାସ୍ତା ମରାମତି । ଯାହାର ବଜେଟ ରହିଛି 22.62 କୋଟି ଓ 125 କୋଟି ଟଙ୍କା । 3ୟରେ ବିର୍ସାମୁଣ୍ଡା ମଲ୍ଟି-ପରପଜର ନିର୍ମାଣ । ଯାହାର ବଜେଟ ରହିଛି 130 କୋଟି ଟଙ୍କା । 4ର୍ଥରେ ବସ ରହଣି ପାଇଁ 2.5 କୋଟି । ପରେ କମାଣ୍ଟ କଣ୍ଟ୍ରୋଲ ସେଣ୍ଟର, କନଫରେନ୍ସ ହଲ, ଅଡିଟୋରିୟମ ଓ ଜନଜାତି ସଂଗ୍ରହାଳୟ ତିଆରି ପାଇଁ 105 କୋଟି । ପାନପୋଷରେ ମାର୍କେଟ କମ୍ପ୍ଳେକ୍ସ ନିର୍ମାଣ ପାଇଁ 41.8 କୋଟି । 3ଟି ବସ୍ ଟର୍ମିନାଲ ପାଇଁ 187 କୋଟି । 6ଟି ପାର୍କ ପାଇଁ 5.72 କୋଟି । ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ପାଇଁ 9.62 କୋଟି । ଝାରସୁଗୁଡା, ଜୟପୁର, ଉତକେଲା ଓ ରାଉରକେଲା ଏୟାରପୋର୍ଟର ଉନ୍ନତି ପାଇଁ 150 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।