ଓଡିଶା

odisha

ETV Bharat / sports

ଫୁଟବଲରେ 15 ବର୍ଷ ପୂରଣ କଲେ ଛେତ୍ରୀ - 15 years journey in international football

ଅନ୍ତର୍ଜାତୀୟ ଫୁଟବଲରେ 15 ବର୍ଷ ପୂରଣ କରିଛନ୍ତି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ । ଅନେକ ଉଠାଣି ଗଡ଼ାଣି ପରେ ସଫଳତାର ଶୀର୍ଷରେ ପହଁଞ୍ଚିବା ସହ ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା ଛେତ୍ରୀଙ୍କ କ୍ୟାରିୟର ଉପରେ ପକାନ୍ତୁ ଗୋଟିଏ ନଜର ।

Sunil Chhetri's 15 years journey, 15 years journey in international football, ଫୁଟବଲରେ 15 ବର୍ଷ ପୂରଣ କଲେ ଛେତ୍ରୀ, ସୁନୀଲ ଛେତ୍ରୀ
ଫୁଟବଲରେ 15 ବର୍ଷ ପୂରଣ କଲେ ଛେତ୍ରୀ

By

Published : Jun 12, 2020, 9:46 PM IST

ହାଇଦ୍ରାବାଦ: ଯେଉଁ ଦେଶରେ ଅନ୍ୟ ଖେଳ ଅପେକ୍ଷା କ୍ରିକେଟକୁ ଅଧିକ ଗୁରୁତ୍ବ ଦିଆଯାଏ ସେହି ଦେଶରେ ଏମିତି ଜଣେ ଖଳାଳି ଅଛନ୍ତି ଯାହାଙ୍କ ଅପିଲରେ ଷ୍ଟାଡିୟମ ଖଚାଖଚ ଭରିଯାଏ ।

ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ

ଆମକୁ ଗାଳିଦିଅ, ସମାଲୋଚନା କର କିନ୍ତୁ ଭାରତୀୟ ଟିମର ଖେଳ ଦେଖିବା ପାଇଁ ଷ୍ଟାଡିୟମକୁ ଆସ । ଏହି ଶବ୍ଦ ଥିଲା ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀଙ୍କର । ତାଙ୍କର ଏହି ଗୋଟିଏ ଅପିଲ ପରେ ଯେମିତି ଚମତ୍କାର ହୋଇଯାଇଥିଲା ଆଉ କେନିଆ ବିପକ୍ଷରେ ଖେଳାଯାଇଥିବା ଇଣ୍ଟର କଣ୍ଟିନେଣ୍ଟାଲ କପରେ ଭାରତୀୟ ଟିମର ମ୍ୟାଚ ପୂର୍ବରୁ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିଲା । ଏହି ମ୍ୟାଚର ଖାସ କଥା ଥିଲା ଯେ ଏହା ଛେତ୍ରୀଙ୍କ 100 ତମ ମ୍ୟାଚ ଥିଲା ।

ସୁନୀଲ ଛେତ୍ରୀ

2005 ମସିହାରେ ପାକିସ୍ତାନ ବିପକ୍ଷରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଛେତ୍ରୀ । ଆଉ ଶୁକ୍ରବାର ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରରେ 15 ବର୍ଷ ପୂରଣ କରିଛନ୍ତି ସେ ।

ଏହି 15 ବର୍ଷ ମଧ୍ୟରେ ଛେତ୍ରୀ ଅନେକ କିଛି ହାସଲ କରିଛନ୍ତି ଓ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅନ୍ତର୍ଜାତୀୟ ଫୁଟବଲରେ ପାଦ ଥାପିବା ପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ନିଜର ଏକାଗ୍ରତା ଓ ପରିଶ୍ରମ ବଳରେ ଆଗେଇ ଚାଲିଛନ୍ତି ।

ଫୁଟବଲରେ 15 ବର୍ଷ ପୂରଣ କଲେ ଛେତ୍ରୀ

ଏହିକଥା ହୁଏତ ଖୁବ କମ ଲୋକ ଜାଣିଥିବେ ଯେ ଛେତ୍ରୀ ଖୁବ କମ ବୟସରେ ଫୁଟବଲ ଖେଳିବା ଆରମ୍ଭ କରିଥିଲ । ମାତ୍ର 17 ବର୍ଷ ବୟସରେ ସେ ମୋହନ ବାଗାନ ପାଇଁ ପ୍ରଥମ ଥର ପ୍ରଫେସନାଲ ଫୁଟବଲ ଖେଳିଥିଲେ ।

ଫୁଟବଲ ଯେମିତି ସୁନୀଲଙ୍କ ରକ୍ତରେ ପ୍ରବାହିତ ହେଉଥିଲା । କାରଣ ତାଙ୍କ ମାତା ପିତା ଉଭୟ ଫୁଟବଲ ଖେଳୁଥିଲେ । ଛେତ୍ରୀଙ୍କ ମା ନେପାଳ ମହିଳା ଫୁଟବଲ ଟିମ ପାଇଁ ଖେଳୁଥିଲେ ଓ ତାଙ୍କ ପିତା ଭାରତୀୟ ସେନା ପାଇଁ ଫୁଟବଲ ଖେଳୁଥିଲେ ।

ଅନ୍ତର୍ଜାତୀୟ କ୍ୟାରିୟର

ଛେତ୍ରୀଙ୍କ ପାଇଁ 2007 ବର୍ଷ ଟର୍ଣ୍ଣିଂ ପଏଣ୍ଟ ଥିଲା । ଏହିବର୍ଷ ଖେଳାଯାଇଥିବା ନେହେରୁ କପରେ କମ୍ବୋଡ଼ିଆ ବିପକ୍ଷରେ ସେ ଦୁଇଟି ଗୋଲ କରିଥିଲେ । ଯାହା ତାଙ୍କୁ ରାତାରାତି ଷ୍ଟାର ବନାଇ ଦେଇଥିଲା । ଲୋକେ ତାଙ୍କ ପ୍ରତିଭାକୁ ଖୁବ ପ୍ରଶଂସା କଲେ ।

ଏହାପରେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ିବାରେ ଲାଗିଲେ ସୁନୀଲ । 2007, 2009 ଓ 2012ରେ ସେ ଭାରତୀୟ ଟିମକୁ ନେହେରୁ କପ ଜିତାଇଥିଲେ । ଏହାଛଡ଼ା 2011 ରେ ସୈଫ ଚାମ୍ପିୟନସିପ ମଧ୍ୟ ବିଜୟର ପତାକା ଉଡ଼ାଇଥିଲା ଭାରତ ।

ଏଫସି ଚ୍ୟାଲେଞ୍ଜ କପ 2008ରେ ତାଜିକିସ୍ତାନ ବିପକ୍ଷରେ ସେ ତିନୋଟି ଗୋଲ କରି ଭାରତକୁ 27 ବର୍ଷ ପରେ ଏସିଆ କପକୁ ଉତିନ୍ନ କରାଇ ପାରିଥିଲେ । 2011 ଏଫସି ଏସିଆନ କପରେ ତାଙ୍କ ଅଧିନାୟକତ୍ବରେ ଟିମ ପଞ୍ଚମ ସ୍ଥାନ ହାସଲ କରିଥିଲା ।

2012ରେ ମାଲେସିଆରେ ଅନୁଷ୍ଠିତ ହୋଇଥିବା ଏଫସି ଚ୍ୟାଲେଞ୍ଜ କପ ଯୋଗ୍ୟତା ପାଇଁ ଛେତ୍ରୀଙ୍କୁ ଭାରତୀୟ ଟିମର ଅଧିନାୟକ ନିଯୁକ୍ତ କରାଗଲା । ଏହି ଟୁର୍ଣ୍ଣାମେଣ୍ଟରେ ସେ 21 ଟି ଗୋଲ କରିଥିଲେ । ନିଜର ବିଚକ୍ଷଣ ଅଧିନାୟକତ୍ବରେ ସେ ଅନେକ ଥର ଭାରତକୁ ବିଜୟର ସ୍ବାଦ ଚଖାଇଛନ୍ତି ।

କ୍ଲବ କ୍ୟାରିୟର

ଅଧିନାୟକ ସୁନୀଲ ଛେତ୍ରୀ ନିଜର କ୍ଲବ କ୍ୟାରିୟରର ଆରମ୍ଭ 2002ରେ କରିଥିଲେ । ସେ ମୋହନ ବାଗାନ ପାଇଁ ଖେଳୁଥିଲେ । ଏହାପରେ 2005 ରେ ଜେସିଟି ସହ ଯୋଡ଼ି ହୋଇଗଲେ ଯେଉଁଠି ସେ 48 ମ୍ୟାଚରେ 21 ଗୋଲ କରିଥିଲେ । 2008 ପର୍ଯ୍ୟନ୍ତ ସେ ଏହି କ୍ଲବରେ ଥିଲେ ।

2010ରେ ସୁନୀଲ ବିଦେଶ ଯିବା ପାଇଁ ଉପମହାଦ୍ବୀପର ତୃତୀୟ ଖେଳାଳି ଭାବେ ବିବେଚିତ ହୋଇଥିଲେ ଯାହାଙ୍କୁ ମେଜର ଲିଗ ସକରରେ କଂସାସ ସିଟି ଭିଜାର୍ଡ ପାଇଁ ସାଇନ କରା ଯାଇଥିଲା । ବିଦେଶ ଯିବା ପୂର୍ବରୁ ସେ ଚିରାଗ ୟୁନାଇଟେଡ ଓ ମୋହନ ବାଗାନ ପାଇଁ ଖେଳିଥିଲେ ।

ଏହାସହ ସେ ଇଣ୍ଡିଆନ ସୁପର ଲିଗରେ ବେଙ୍ଗାଲୁରୁ ଏଫସି ଓ ମୁମ୍ବାଇ ସିଟି ଏଫସିର ନେତୃତ୍ବ ନେଇଛନ୍ତି । 2015 ଇଣ୍ଡିଆନ ସୁପର ଲିଗରେ ଛେତ୍ରୀଙ୍କୁ ମୁମ୍ବାଇ ସିଟିରେ 1.2 କୋଟି ଟଙ୍କା ବିନିମୟରେ ଟିମରେ ରଖିଥିଲା, ସେ ସେହି ସମୟରେ ନିଲାମିରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ଥିଲେ ।

ସଫଳତା

ଭାରତର ମହାନ ଫୁଟବଲରଙ୍କ ମଧ୍ୟରେ ରହିଥିବା ଛେତ୍ରୀଙ୍କ ସଫଳତାର ତାଲିକା ବେଶ୍‌ ଲମ୍ବା । ଛେତ୍ରୀ 2007, 2011, 2013, 2014, 2017, ଓ 2019 ମସିହାରେ ଏଏଇଏଫଏଫ ପ୍ଲେୟର ଅଫ ଦ ଇୟର ବିବେଚିତ ହୋଇଥିଲେ ।

ତାଙ୍କ ନାଁ ରେ 115 ମ୍ୟାଚରେ 72 ଗୋଲ ରହିଛି । କେବଳ ସେତିକି ନୁହେଁ ଭାରତ ପାଇଁ ସେ ସର୍ବାଧିକ ମ୍ୟାଚ ଖେଳିଥିବା ଖେଳାଳି ଅଟନ୍ତି । ତାଙ୍କ ପଛକୁ ପୂର୍ବତନ ଖେଳାଳି ବାଇଚୁଙ୍ଗ ଭୁତିଆ (107 ମ୍ୟାଚ) ରହିଛନ୍ତି ।

ଗୋଲ ମାମଲାରେ ଛେତ୍ରୀଙ୍କ ଆଗକୁ କେବଳ ପର୍ତ୍ତୁଗାଲର କିମ୍ବଦନ୍ତୀ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ହିଁ ଅଛନ୍ତି । ସେପଟେ ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଛେତ୍ରୀଙ୍କ ପଛରେ ତୃତୀୟ ସ୍ଥାନରେ ରହିଛନ୍ତି ।

ଏହାସହ ଛେତ୍ରୀ 2008ରେ ଏଫସି ଚ୍ୟାଲେଞ୍ଜ କପ ମୋଷ୍ଟ ଭେଲ୍ୟୁଏବଲ ପ୍ଲେୟରର ପୁରସ୍କାର ମଧ୍ୟ ପାଇଛନ୍ତି । 2011 ରେ ସୈଫ ଚ୍ୟାମ୍ପିୟନସିପ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ପାଇଛନ୍ତି ।

2008ରେ ସେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବା ସହ 2019ରେ ପଦ୍ମଶ୍ରୀ ସମ୍ମାନ ପାଇଛନ୍ତି ।

ଛେତ୍ରୀ ନିଜର ଦକ୍ଷତା ବଳରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । 15 ବର୍ଷର ଏହି ଲମ୍ବା କ୍ୟାରିଅରରେ ସେ ଅନେକ ଉଠାଣି-ଗଡ଼ାଣି ଦେଖିଛନ୍ତି କିନ୍ତୁ କେବେ ବି ଧୈର୍ଯ୍ୟହରା ହୋଇ ନାହାନ୍ତି । ତାଙ୍କ କ୍ୟାରିୟର ଆଜିରର ଯୁବ ପିଢ଼ି ପାଇଁ ଏକ ପ୍ରେରଣା ।

ABOUT THE AUTHOR

...view details