ଓଡିଶା

odisha

ETV Bharat / sports

୧୭ ବର୍ଷରୁ କମ FIFA ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ୫ ପଡ଼ିଆ ପ୍ରସ୍ତୁତ - ଫୁଟବଲ ଟୁର୍ଣ୍ଣାମେଣ୍ଟ

17 ବର୍ଷରୁ କମ ଫିଫା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଓଡିଶାର ପ୍ରସ୍ତୁତି । ଅଧିକ ପଢନ୍ତୁ...

Odisha is all set to host FIFA Women's Under-19 Tournament in Five stadiums
୧୭ ବର୍ଷରୁ କମ FIFA ମହିଳା ଫୁଟବଲ ପାଇଁ ୫ ପଡ଼ିଆ ପ୍ରସ୍ତୁତ

By

Published : Jul 6, 2021, 9:35 PM IST

ଭୁବନେଶ୍ବର: 17 ବର୍ଷରୁ କମ FIFA ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଓଡିଶାର ପ୍ରସ୍ତୁତି । ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ରାଜ୍ୟରେ ୫ଟି ପଡ଼ିଆ ପ୍ରସ୍ତୁତ ହୋଇରହିଛି । ବିଗତ କିଛି ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବେଶ୍‌ ଆଖିଦୃଶିଆ କାର୍ଯ୍ୟକରି ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଏବଂ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଆନ୍ତରିକତା ପାଇଁ ଏହା ସମ୍ଭବ ହୋଇପାରିଛି ।

ତେବେ କ୍ରୀଡ଼ା କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟ କରି ଓଡ଼ିଶାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ଏକାଠି ହୋଇ ପୂରଣ କରିବାକୁ ପଡ଼ିବ ବୋଲି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଭାଗୀୟ ଅଧିକାରୀମାନଙ୍କୁ ସମୀକ୍ଷା ବୈଠକରେ ପରାମର୍ଶ ଦେଇଛନ୍ତି ।

ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ କ୍ରୀଡ଼ା ବିଭାଗର ସମୀକ୍ଷା ବୈଠକରେ ହାଇ-ପରଫମାନ୍ସ ସେଣ୍ଟରର ପରିଚାଳନା, ନୂତନ କ୍ରୀଡ଼ା ନୀତି, କଳିଙ୍ଗ ଇଣ୍ଟିଗ୍ରେଟେଡ୍‌ ସ୍ପୋଟର୍ସ କମ୍ପ୍ଲେକ୍ସ ନିର୍ମାଣ, କ୍ରୀଡ଼ାବିତ୍‌ଙ୍କୁ ପରିଚୟ ପତ୍ର ପ୍ରଦାନ, କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ହଷ୍ଟେଲ ନିର୍ମାଣ ଏବଂ କୋଭିଡ୍‌ ଯୋଗୁଁ ଧିମେଇ ଯାଇଥିବା କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଛି । ଏଥି ସହିତ ରାଉରକେଲାଠାରେ ନିର୍ମାଣାଧୀନ ହକି ଷ୍ଟାଡିୟମ୍‌ର କାର୍ଯ୍ୟ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ପଡ଼ିଆରେ ସିନ୍ଥେଟିକ୍‌ ଟର୍ଫ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ବିଭାଗ ପକ୍ଷରୁ ୫,୫୦୦ ଜଣ ପିଇଟି ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯାଇଥିବାରୁ ମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଭୁବନେଶ୍ବରକୁ ସ୍ପୋର୍ଟ୍ସ କ୍ୟାପିଟାଲ୍‌ ଅଫ୍‌ ଇଣ୍ଡିଆ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖିଛନ୍ତି, ତାହାର ବାସ୍ତବତା ନେଇ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସହ ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଭୁବନେଶ୍ବରରେ ୫ଟି ପଡ଼ିଆ ପ୍ରସ୍ତୁତ ହୋଇସାରିଛି ।

କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ନିର୍ମାଣାଧୀନ ହଷ୍ଟେଲ ନିର୍ମାଣ ଖୁବ୍‌ଶୀଘ୍ର ଶେଷ ହୋଇଯିବ । ଏଥିସହିତ କଳିଙ୍ଗ ଷ୍ଟାଡିୟମ୍‌ର ସଂପ୍ରସାରଣ କାର୍ଯ୍ୟ ଯଥା ଟେନିସ୍‌ କୋର୍ଟ, ଜଳକ୍ରୀଡ଼ା କମ୍ପ୍ଲେକ୍ସ, ସୁଇମିଂ ପୁଲ, ଆଥ୍‌ଲେଟିକ୍ସ ଏଚ୍‌ପିସି ବିଲ୍‌ଡିଂ, ଅଫିସିଆଲ୍‌ମାନଙ୍କ ରହଣି କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ବୋଲି ବିଭାଗୀର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । କ୍ରୀଡ଼ାବିତ୍‌ଙ୍କୁ ଅନ୍ତର୍ଜାତୀୟ ସ୍ତରର ତାଲିମ ଦିଆଯିବା ସହ ବର୍ତ୍ତମାନ ସୁଦ୍ଧା ୧୧ଟି ଏଚ୍‌ପିସି ମଧ୍ୟରୁ ୯ଟି କାର୍ଯ୍ୟକ୍ଷମ ହୋଇଛି । ଯୁବକମାନଙ୍କୁ ଉତ୍ସାହିତ କରି କ୍ରୀଡ଼ା କ୍ଷେତ୍ରକୁ ଆସିବା ଲାଗି ବ୍ଲକ୍‌ ଏବଂ ଗ୍ରାମପଞ୍ଚାୟତ ସ୍ତରରେ ସାମାଜିକ ଅନୁଷ୍ଠାନ ସହିତ ମିଳିତ ଉଦ୍ୟମ କରିବା ଉପରେ ଆଲୋଚନା ହୋଇଛି । ଏହି ବୈଠକରେ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ସ୍ବତନ୍ତ୍ର ସଚିବ ଆର୍‌. ଭିନିଲ୍‌ କ୍ରୀଷ୍ଣା, ଉପଶାସନ ସଚିବ ରଞ୍ଜିତ କୁମାର ପରିଡ଼ା ଏବଂ ଶୈଳେନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details