ପାଣାଜି: ଆସନ୍ତାକାଲି ଆଇଏସଏଲରେ ସନଡେ ଡବଲ ହେଡର ମ୍ୟାଚ ଖେଳାଯିବ । ତେବେ ଏହି ଡବଲ ହେଡରର ପ୍ରଥମ ମ୍ୟାଚ ସନ୍ଧ୍ୟା 5ଟାରେ ଓଡିଶା ଏଫସି- ଚେନ୍ନାଇୟନ ଏଫସି ମଧ୍ୟରେ ଜିଏମସି ଷ୍ଟାଡିୟମରେ ଖେଳାଯିବ । ତେବେ ଗତ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ 4-2ରେ ପରାସ୍ତ କରିବା ପରେ ଓଡିଶା ଏଫସି ଦଳ ଆତ୍ମବିଶ୍ବାସରେ ବେଶ୍ ଭରପୂର ରହିବ । କାରଣ ଏହି ବିଜୟ ଚଳିତ ସିଜନର ପ୍ରଥମ ବିଜୟ ରହିଥିଲା ।
ଆଇଏସଏଲ-7ର 53ତମ ମ୍ୟାଚରେ ଓଡିଶା ଏଫସି ଚାହିଁବ ସାନଦାର ପ୍ରଦର୍ଶନ କରି ବିପକ୍ଷ ଦଳକୁ ହରାଇ ମ୍ୟାଚକୁ ହାତେଇବା ସହ 2ୟ ବିଜୟ ହାସଲ କରିବା । ଗତ ମ୍ୟାଚରେ ଡିଏଗୋ ଦଳ ପକ୍ଷରୁ ସର୍ବାଧିକ 2ଟି ଗୋଲ୍ କରିଥିଲେ । ଚେନ୍ନାଇୟନ ଏଫସି ବିପକ୍ଷରେ ବି ସେହିଭଳି ପ୍ରଦର୍ଶନ ଜାରି ରଖିବା ବୋଲି ଫ୍ୟାନ୍ସଙ୍କ ଆଶା ରହିଛି ।
ତେବେ ପଏଣ୍ଟ ଟେବୁଲକୁ ଦେଖିଲେ ଓଡିଶା ଏଫସି ଦଳ ଅନ୍ତିମ ସ୍ଥାନରେ 5 ପଏଣ୍ଟ ସହ ରହିଛି । ଆସନ୍ତାକାଲିର ବିପକ୍ଷ ଦଳ ଚେନ୍ନାଇୟନ ଦଳ ବି 9ଟି ମ୍ୟାଚ ଖେଳି 10 ପଏଣ୍ଟ ସହ 8ମ ସ୍ଥାନରେ ରହିଛି । ଚେନ୍ନାଇୟନ ଏଫସି ଗତ ମ୍ୟାଚରେ ହାଇଦ୍ରାବାଦ ଠାରୁ 4-1ରେ ପରାସ୍ତ ହୋଇଥିଲା । ଦଳ ଚାହିଁବ ଓଡିଶା ଏଫସିକୁ ମାତ୍ ଦେଇ 3ୟ ବିଜୟ ହାସଲ କରିବାକୁ ।
ତେବେ ଚେନ୍ନାଇୟନ ଏଫସିର କୋଚ ଲାସଲୋ କହିଛନ୍ତି ଯେ, ଗତ ମ୍ୟାଚରେ ଓଡିଶା ଏଫସି ମ୍ୟାଚ ଜିତିବା ପାଇଁ ବହୁତ ପରିଶ୍ରମ କରିଥିଲା । ଆମକୁ ମଧ୍ୟ ସେହିପରି କରିବାକୁ ପଡିବ । ପ୍ରତ୍ୟେକ ଦଳର ନିଜସ୍ବ ସମସ୍ୟା ରହିଛି । ଆମ ପାଖରେ ଭଲ ଖେଳାଳି ଅଛନ୍ତି ଓ ଆମେ ବି ଗ୍ରାଉଣ୍ଡରେ ଲଢିବୁ ।
ସେହିପରି ଓଡିଶା ଏଫସିର କୋଚ ବକ୍ସଟର କହିଛନ୍ତି ଯେ, 3ପଏଣ୍ଟ ଖେଳାଳୀଙ୍କୁ ଆଗକୁ ବେଷ୍ଟ ପ୍ରଦର୍ଶନ କରିବାକୁ ଆତ୍ମବିଶ୍ବାସ ଓ ବିଶ୍ବାସ ଦେବ । ଗତ ମ୍ୟାଚରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଆଶା ଅଛି ଆମେ ଆଗକୁ ବି ଭଲ ପ୍ରଦର୍ଶନ କରିବୁ ।