ଗୋଆ: ହିରୋ ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ଆଜି ଦୁଇ ଥର ପୂର୍ବତନ ଚାମ୍ପିୟନ ଚେନ୍ନାଇୟନ ଏଫସିକୁ ଭେଟିବ ଜାମଶେଦପୁର ଏଫସି । ଭାସ୍କୋ ଡି ଗାମାର ତିଲକ ଷ୍ଟାଡିଅମରେ ଖେଳାଯିବ ମ୍ୟାଚ । ଚଳିତ ସଂସ୍କରଣରେ ଜାମଶେଦପୁର ଏଫସିର କୋଚ ଭାବେ ନିଯୁକ୍ତି ପାଇଥିବା ଓୱେନ କୋୟଲେ ଗତ ସଂସ୍କରଣରେ ଚେନ୍ନାଇୟନ ଏଫସିର କୋଚ ରହିଥିଲେ । ତାଙ୍କ ମାର୍ଗଦର୍ଶନରେ ଚେନ୍ନାଇୟନ ଏଫସି ଗତ ସିଜନରେ ଏପଣ୍ଟ ଟେବୁଲ ତଳୁ ଉପରକୁ ଉଠି ଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା । ତେବେ ଫାଇନାଲ ମୁକାବିଲାରେ ଟିମକୁ ଏଟିକେ ଠାରୁ ପରାଜୟ ମିଳିଥିଲା ।
କିନ୍ତୁ ଚଳିତ ଥର କୋୟଲେ ଚଳିତ ଥର ଜାମଶେଦପୁରର କୋଚ ରହିଛନ୍ତି । କେବଳ କୋୟଲେ ଜାମଶେଦପୁର ଏଫସି ସହ ଯୋଡ଼ି ହୋଇ ନାହାନ୍ତି ବରଂ ନିଜ ସହ ଗତ ସଂସ୍କରଣରେ ଯୁଗ୍ମ ଭାବେ ଟପ ସ୍କୋରର ଓ ଗୋଲ୍ଡେନ ବୁଟ ବିଜେତା ନେରିଜୁସ ଭାଲ୍ସକିସଙ୍କୁ ମଧ୍ୟ ନେଇ ଆସିଛନ୍ତି ।
ଏଥିସହ କୋୟଲେ ମିଜୋରାମତର ଡିଫେଣ୍ଡର ଲାଲଦିନଲିୟାନା ରେନ୍ଥଲେଇଙ୍କୁ ମଧ୍ୟ ଜାମଶେଦପୁର ଏଫସିରେ ସାମିଲ କରିଛନ୍ତି, ଯିଏ କି ଗତ ଅନେକ ସଂସ୍କରଣରେ ଚେନ୍ନାଇୟନ ଏଫସିର ଅଂଶ ରହିଥିଲେ । କୋୟଲେ ଏହି ଖେଳାଳିଙ୍କ ସାମର୍ଥ୍ୟ ଜାଣିବା ସହ ସେମାନେ ଭଲ ପ୍ରଦର୍ଶନ କରିବେ ବୋଲି ମଧ୍ୟ ଅବଗତ ଅଛନ୍ତି ।