ହାଇଦ୍ରାବାଦ: ଜିମ୍ବାୱେ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ଆଗୁଆ ଜିତିନେଇଛି ଭାରତ(India clinch series 2-0) । ଆଜି ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ(2nd ODI) ଭାରତ ସାମ୍ନାରେ ୧୬୨ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ମାତ୍ର ୧୬୧ ରନ୍ରେ ସମସ୍ତ ୱିକେଟ ହରାଇଥିଲା ।
ଭାରତ ପକ୍ଷରୁ ୱିକେଟ କିପର ବ୍ୟାଟ୍ର ସଞ୍ଜୁ ସାମସନ ସର୍ବାଧିକ ୪୩ ରନ୍ର ଅପରାଜିତ ଇଂନିସ ଖେଳିଥିଲେ । ଓପନର ଶୁଭମନ ଗିଲ୍ ୩୩ ଓ ଦୀପକ ହୁଡ୍ଡା ୨୫ ରନ୍ର ଇଂନିସ ଖେଳିଥିଲେ । ଭେଟେରାନ ଓପନର ଶିଖର ଧାୱନ ମଧ୍ୟ ୩୩ ରନ୍ର ଉପଯୋଗୀ ଯୋଗଦାନ କରିଥିଲେ । ତେବେ କ୍ୟାପଟେନ କେଏଲ ରାହୁଲ ବିଫଳ ହୋଇଥିଲେ ।
ପୂର୍ବରୁ ସିନ ୱିଲିୟମ୍ସଙ୍କ ୪୨ ଓ ରିଆନ ବର୍ଲଙ୍କ ୩୯ ରନ୍ ବଳରେ ଘରୋଇ ଜିମ୍ବାୱେ ଟିମ ପ୍ରଥମେ ବ୍ୟାଟିଂ କରି ୧୬୧ ରନ୍ କରିବାକୁ ସମର୍ଥ ହୋଇଥିଲା । ପୁଣିଥିରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଦ୍ବିତୀୟ ଦିନିକିଆରେ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ମିଳିଥିଲା ଓ ସେ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା, ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ଦୀପକ ହୁଡ୍ଡା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।
ଏହି ବିଜୟ ସହ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ହୋଇଛି । ଏଥିସହ ଜିମ୍ବାୱେ ମାଟିରେ ଲଗାତାର ସପ୍ତମଥର ସିରିଜ ବିଜେତା ହୋଇଛି । ଏହାର ତୃତୀୟ ଦିନିକିଆ(3rd ODI) ମ୍ୟାଚ ଅଗଷ୍ଟ ୨୨ ତାରିଖରେ ଖେଳାଯିବ ।