ଚେନ୍ନାଇ:ଜାରି ରହିଛି କ୍ରିକେଟ ମହାକୁମ୍ଭ । ଆଜି (ଶୁକ୍ରବାର) ଚେନ୍ନାଇର ଚେପକ ଷ୍ଟାଡିୟମରେ ପାକିସ୍ତାନ ଓ ସାଉଥ ଆଫ୍ରିକା ମଧ୍ୟରେ ୨୬ତମ ଲିଗ୍ ଖେଳାଯାଉଛି । ପାକିସ୍ତାନ ଟସ୍ ଜିତିବା ପରେ ଗତ ୩ ବର୍ଷର ଫର୍ମୁଲାରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ । ଗୋଟିଏ ପଟେ ପାକିସ୍ତାନ କ୍ରମାଗତ ୩ଟି ପରାଜୟ ପରେ ବିଜୟଧାରାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ବେଳେ ସାଉଥ ଆଫ୍ରିକା ମଧ୍ୟ ପାକିସ୍ତାନକୁ ହରାଇ ନିଜର ଅଲୋଡା ରେକର୍ଡ ଭାଙ୍ଗିବାକୁ ଉଦ୍ୟମ କରିବ । କାରଣ ୧୯୯୯ ବିଶ୍ବକପ ପର ଠାରୁ ପାକିସ୍ତାନକୁ ପରାଜିତ କରିପାରିନି ସାଉଥ ଆଫ୍ରିକା ।
ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଟସ୍ ଜିତିବା ପରେ ବାବର କହିଛନ୍ତି, " ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟରେ ଆମ ପାଇଁ ଏବେ ସବୁ ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ । ଆମକୁ ଏବେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ଆଦି ସମସ୍ତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶେଷ କରି ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।" ଆଜି ମ୍ୟାଚ୍ରେ ପାକିସ୍ତାନ ସ୍କ୍ବାଡରେ ୨ଟି ପରିବର୍ତ୍ତନ କରିଛି । ହାସନ ଅଲ୍ଲି ଅସୁସ୍ଥ ଥିବା ବେଳେ ୱାସିମ ଜୁନିଅର ତାଙ୍କ ସ୍ଥାନରେ ଆସିଥିବା ବେଳେ ଓସାମା ମିରଙ୍କ ସ୍ଥାନରେ ମହମ୍ମଦ ନୱାଜକୁ ସ୍କ୍ବାଡକୁ ଫେରିଛନ୍ତି ।