ଅହମ୍ମଦାବାଦ: କ୍ରିକେଟର ସବୁଠୁ ହାଇଭୋଲ୍ଟେଜ ମ୍ୟାଚ୍ ଭାରତ ବନାମ ପାକିସ୍ତାନ । ଏହି ମ୍ୟାଚକୁ ଦେଖିବାକୁ ସମଗ୍ର ବିଶ୍ବବାସୀଙ୍କ ମନରେ ଉତ୍ସାହ ରହିଥାଏ । ଚଳିତ ବିଶ୍ବକପର 12ତମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ 7 ୱିକେଟ୍ରେ ଐତିହାସିକ ବିଜୟ ହାସଲ କରିଛି ରୋହିତ ବାହିନୀ । ମ୍ଯାଚରେ କିଛି ଅଜବଗଜବ ଘଟଣା ଦେଖିବାକୁ ମିଳିଥିଲା । କୋହଲି ଭୁଲ୍ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇବା, ଆୟର ଉପରକୁ ହାରିସଙ୍କ ବଲ ଫିଙ୍ଗିବାଠୁ ନେଇ ଇମାମଙ୍କୁ ଆଉଟ କରିବା ପୂର୍ବରୁ ପାଣ୍ଡ୍ୟାଙ୍କ ମନ୍ତ୍ର ପାଠ କରିବା ଯାଏଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।
8-0 ମିଶନ ସଫଳ:ବିଶ୍ବକପ ମ୍ୟାଚରେ ଏଯାବାଦ ପାକିସ୍ତାନ ବିପକ୍ଷରେ ଭାରତ ଅପରାଜେୟ ରହିଛି । ପୂର୍ବରୁ ବିଶ୍ବକପର 7ଟି ମ୍ୟାଚରେ ଭାରତ ପାକିସ୍ତାନ ବିପକ୍ଷରେ ଜିତିଥିଲା । ଚଳିତ ବିଶ୍ବକପରେ 8-0 ଲକ୍ଷ୍ୟ ନେଇ କ୍ରିଜକୁ ଓହ୍ଲାଇଥିବା ଭାରତ ତାର ମିଶନରେ ସଫଳ ହୋଇଛି । ବିଶ୍ବକପରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ଏକପାଖିଆ ମ୍ୟାଚ ଜିତିବାରେ ଏହା ଦ୍ବିତୀୟ । ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ 8-0ରେ ଜିତିଥିଲା ।
ମନ୍ତ୍ର ଜପି ଇମାମଙ୍କୁ ପାଭିଲିୟନ ପଠାଇଲେ ପାଣ୍ଡ୍ୟା: ଭାରତୀୟ ଅଲରାଉଣ୍ଡରେ ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମ୍ୟାଚରେ ଘାତକ ସାବ୍ୟସ୍ତ ହୋଇଛନ୍ତି । 13ତମ ଓଭରର ଦ୍ବିତୀୟ ବଲରେ ପାକିସ୍ତାନ ଓପନର ଇମାମ ଉଲ ହକଙ୍କୁ ପାଭିଲିୟନ ପଠାଇଥିଲେ । ଏହା ପୂର୍ବରୁ ସେ ବଲକୁ ଧରି କିଛି ମନ୍ତ୍ର ଜପି ଥିବା ଦେଖିବାକୁ ମିଳିଥିଲା । କଣ ମନ୍ତ୍ର ଜପିଥିବା ପ୍ରଶ୍ନରେ ପାଣ୍ଡ୍ୟା କହିଥିଲେ ସେମିତି କିିଛି ନାହିଁ ମୁଁ ମୋ ନିଜକୁ ଉତ୍ସାହିତ କରୁଥିଲି ଏବଂ ବୋଲିଂ ଉପରେ ଫୋକସ କରୁଥିଲି ।
ଭୁଲ ଜର୍ସି ପିନ୍ଧିଲେ ବିରାଟ:ଭାରତୀୟ ବ୍ୟାଟିଂକିଙ୍ଗ୍ ବିରାଟ କୋହଲି ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଏକ ଭୁଲ କରି ଦେଇଥିବା ଦେଖିବାକୁ ମିଳିଛି । ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ ବେଳେ ବିରାଟ କୋହଲି ଭୁଲ ଜର୍ସି ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ବିଶ୍ବକପ ପାଇଁ ଭାରତର ଜର୍ସି କାନ୍ଧରେ ତ୍ରିରଙ୍ଗାର ଟ୍ରାଇ କଲର ଷ୍ଟ୍ରିପ୍ ରହିଛି । ମାତ୍ର କୋହଲି ପୂର୍ବରୁ ଧଳା ଷ୍ଟ୍ରିପ ଥିବା ଜର୍ସି ପିନ୍ଧି ଥିବା ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ କୋହଲି ଜର୍ସି ବଦଳାଇ ଦେଇଥିଲେ ।
ଆୟର ଉପରକୁ ବଲ ଫିଙ୍ଗିଲେ ହାରିସ:ଭାରତ ବିଜୟ ଲକ୍ଷ୍ୟ ନିକଟତର ହେଉଥାଏ । 1 ଲକ୍ଷ 32 ହଜାର ଦର୍ଶକ ଭରା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଥାଏ ସେଲିବ୍ରେସନ । କ୍ରିଜରେ ଥାଆନ୍ତି ଶ୍ରେୟାସ ଆୟର ଓ ରୋହତ ଶର୍ମା । ସେପଟେ ବିକଳରେ ତାଟିଆ କାମୁଡିଲା ପରି ହେଉଥାଏ ପାକିସ୍ତାନ କାରଣ ସେ ଜାଣି ସାରିଥିଲା ମ୍ୟାଚ୍ ତା ହାତରୁ ଖସି ଯାଇଛି । ଭାରତର ସ୍କୋର 80/2 ହୋଇଥାଏ । ଏହି ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ପାକିସ୍ତାନ ବୋଲର ହାରିଶ ରୌଫ ଅଫଷ୍ଟମ୍ପ ବାହାରେ ବଲ ପକାଇଥିଲେ । ଆୟର ବଲକୁ ସିଧା ମାରିଥିଲେ । ଫଲୋଥ୍ରୁରେ ବଲ ଧରି ହାରିସ ଆୟରଙ୍କ ଉପରକୁ ବଲ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା ।