ହାଇଦ୍ରାବାଦ: ବିଶ୍ବକପରେ ଚମକିଛନ୍ତି ଭାରତୀୟ ପେସ୍ ବୋଲର ମହମ୍ମଦ ଶାମି । ଶାମିଙ୍କ ଘାତକ ବୋଲିଂ ଚର୍ଚ୍ଚାର ବିଷୟ ପାଲଟିଛି । ସେମିଫାଇନାଲ ମ୍ୟାଚରେ 7ଟି ଓ୍ବିକେଟ ନେଇ ସେ ଭାରତୀୟ ଟିମକୁ ଫାଇନାଲରେ ପ୍ରବେଶ କରାଇଥିଲେ । ଶାମିଙ୍କ ପ୍ରଦର୍ଶନରେ ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ପିଲାଦିନର ପ୍ରଶିକ୍ଷକ ତଥା କୋଚ୍ ମହମ୍ମଦ ବଦରୁଦ୍ଦିନ । ଏଥିସହ ଚଳିତ ବିଶ୍ବକପରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରିଥିବା ନେଇ ମତ ରଖିଛନ୍ତି ।
ସେ କହିଛନ୍ତି ଯେ, ବିଶ୍ବକପ ଇତିହାସରେ ବ୍ୟାଟରମାନଙ୍କୁ ଅଧିକ ଫୋକସ କରାଯାଏ । କିନ୍ତୁ ଚଳିତ ଥର ବୋଲରମାନେ ଅଧିକ ଚର୍ଚ୍ଚାରେ ରହିଛନ୍ତି । ମହମ୍ମଦ ଶାମିଙ୍କ ଭଲ ପ୍ରଦର୍ଶନ ଯୋଗୁଁ ଭାରତୀୟ ଦଳ ଫାଇନାଲରେ ପହଞ୍ଚିଛି । ଏଥିପାଇଁ ମୁଁ ବହୁତ ଖୁସି । ଚଳିତ ବିଶ୍ବକପରେ ସେ 6ଟି ମ୍ୟାଚ ଖେଳି 23ଟି ଓ୍ବିକେଟ ନେଇଛନ୍ତି । ପ୍ରଥମେ ଦଳର ଏକଦାଶରେ ଶାମି ସ୍ଥାନ ପାଇନଥିଲେ । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ସ୍କ୍ବାଡରେ ଶାମିଙ୍କୁ ସ୍ଥାନ ମିଳିଥିଲା । ଏହାପରେ ଶାମି କାହାକୁ ନିରାଶ କରିନାହାନ୍ତି । ତାଙ୍କର ପ୍ରଦର୍ଶନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି ଏବଂ ମହମ୍ମଦ ସିରାଜ ପ୍ରଭାବଶାଳୀ ବୋଲର । ଏହି ତିନି ଜଣ ବିଶ୍ବକପରେ ଏପର୍ଯ୍ୟନ୍ତ 54ଟି ଓ୍ବିକେଟ ନେଇଛନ୍ତି ।