ମେଲବୋର୍ଣ୍ଣ:ଟି-ଟ୍ବେଣ୍ଟି ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଫାଇନାଲ ଫଇଟ ଆରମ୍ଭ ହୋଇଛି । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ମୁହାଁମୁହିଁ ହୋଇଛନ୍ତି ଇଂଲଣ୍ଡ ପାକିସ୍ତାନ । ପାକିସ୍ତାନ ବିପକ୍ଷରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । କିଏ ଜିତିବ ଟ୍ରଫି ତାକୁ ଅପେକ୍ଷା । ଇଂଲଣ୍ଡ ଦଳରେ କୌଣସି ପରିବର୍ତ୍ତନ ହୋଇନାହିଁ । ଭାରତ ବିପକ୍ଷ ଏକାଦଶକୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଛି ଦଳ । ଭାରତ ବାଦ ପଡ଼ିଥିବାରୁ ଦର୍ଶକଙ୍କ ଉତ୍ସାହ ସାମାନ୍ୟ କମି ଯାଇଛି । ହେଲେ ପାକିସ୍ତାନ ଓ ଇଂଲଣ୍ଡର ସମର୍ଥକଙ୍କୁ ନେଇ ଫୁଲ ହୋଇ ସାରିଛି ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ।
ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଥିଲା । ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚକୁ ଛାଡି ଦେଲେ ଦଳର ପ୍ରଦର୍ଶନ ଭଲ ରହିଥିଲା । ଭାରତ ବିପକ୍ଷ ସେମିରେ ବିନା ୱିକେଟ ହରାଇ ଦଳ ବିଜୟ ହାସଲ କରିଥିଲା । ଏହାପରେ ଦଳର ମନୋବଳ ଦୃଢ ରହିଛି । ଆଜିର ମୁକାବିଲା ଜିତିବାକୁ କଳ ବଳ କୌଶଳ ଲଗାଇ ଦେବ । ସେପଟେ ପାକିସ୍ତାନ ମଧ୍ୟ ଟ୍ରଫି ହାତେଇବାକୁ ସବୁ କଳ ବଳ ଲଗାଇବ ।
ବର୍ଷା ସାଜିପାରେ ବାଧକ...
ଆଜି ବର୍ଷା ହେବା ଅନୁମାନ କରାଯାଉଛି । ଫାଇନାଲ ମ୍ୟାଚ ରିଜର୍ଭ ଦିନ ବା ସୋମବାର ମଧ୍ୟ ବର୍ଷା ହୋଇପାରେ । 95 ପ୍ରତିଶତ ବର୍ଷା ହେବା ଅନୁମାନ କରାଯାଉଛି । ବର୍ଷା ଛାଡିବା ପରେ ଯଦି ଖେଳ ହୁଏ, ତେବେ ଫଳାଫଳ ପାଇଁ 10 ଓଭର ଖେଳାଯିବ । ଯଦି ଏହା ସମ୍ଭବ ହୋଇପାରିଲା ନାହିଁ ତେବେ ଦୁଇ ଦଳକୁ ଯୁଗ୍ମ ବିଜେତା ଭାବେ ଘୋଷଣା କରାଯିବ । ଗ୍ରୁପ ପର୍ଯ୍ୟାୟରେ ମଧ୍ୟ ବର୍ଷା କାରଣରୁ ମ୍ୟାଚ ପ୍ରଭାବିତ ହୋଇଥିଲା ।