ହାଇଦ୍ରାବାଦ:ଅଷ୍ଟ୍ରେଲିଆରେ ଜାରି ରହିଛି ଫଟାଫଟ କ୍ରିକେଟ ମହାସମର । ସୁପର ୧୨ ପର୍ଯ୍ୟାୟରେ ସମସ୍ତ ଦଳ ତିନୋଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି । ଗ୍ରୁପ 1 ଓ ଗ୍ରୁପ ୨ ରେ ସୁପର ୧୨ ପର୍ଯ୍ୟାୟକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି । ଗ୍ରୁପ ୧ ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟରଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ରହିଛି । ସେହିପରି ଗ୍ରୁପ ୨ ରେ ଭାରତ, ବାଂଲାଦେଶ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ ଓ ଜିମ୍ବାୱେ ରହିଛି । ଗ୍ରୁପ ୧ ପଏଣ୍ଟ ଟେବୁଲରେ ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ସର୍ବାଧିକ ୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ସେହିପରି ଗ୍ରୁପ ୨ ପଏଣ୍ଟ ଟେବୁଲରେ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି ।
ସୁପର ୧୨ ପର୍ଯ୍ୟାୟରେ କଡା ଟକ୍କର ଲାଗି ରହିଛି । କ୍ରିକେଟରମାନଙ୍କର ପ୍ରଦର୍ଶନ କେତେବେଳେ ଦମଦାର ରହୁଛି ଆଉ କେତେବେଳେ ଖାତା ଖୋଲିବାରେ ବିଫଳ ରହୁଛନ୍ତି । ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ନଜର ପକାଇଲେ ଶ୍ରୀଲଙ୍କାର କୁଶଲ ମେଣ୍ଡିସ୍ ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । କୁଶଲ ମେଣ୍ଡିସ୍ ୬ ଟି ମ୍ୟାଚରୁ ୧୮୦ ରନ୍ ସଂଗ୍ରହ କରିଛନ୍ତି । ଯଦି ଆମେ ଚଳିତ ଟି୨୦ ବିଶ୍ବକପରେ ଶୀର୍ଷ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକା ଉପରେ ନଜର ପକାଇବା ତାହେଲେ ଭାରତର ଦୁଇ ଜଣ କ୍ରିକେଟର ଏହି ତାଲିକାରେ ନିଜ ସ୍ଥାନ ପକ୍କା କରିଛନ୍ତି ।