ଶାରଜାହ:ଇଣ୍ଡିଆନ ପ୍ରିମିୟର ଲିଗ୍(IPL)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପକ୍ଷରୁ ଖେଳୁଥିବା ଦକ୍ଷିଣ ଆଫ୍ରିକୀୟ ମହାନ କ୍ରିକେଟର ଏବି ଡିଭିଲିୟର୍ସ ଓ ବିରାଟ କୋହଲିଙ୍କ ଘନିଷ୍ଠ ବନ୍ଧୁତା ବିଷୟରେ ସମସ୍ତଙ୍କୁ ଜଣା । ଉଭୟ ଖେଳାଳି ପରସ୍ପରକୁ ସ୍ବତନ୍ତ୍ର ସମ୍ମାନ କରିବା ସହ ବାଙ୍ଗାଲୋର ଫ୍ରାଞ୍ଜାଇଜର ଦୁଇ ପ୍ରମୁଖ ସ୍ତମ୍ଭ ରହିଛନ୍ତି । ଚଳିତ ଆଇପିଏଲ ସଂସ୍କରଣ ପରେ ଟିମର କ୍ୟାପଟେନ ପଦରୁ କୋହଲି ଓହରିବା ନେଇ ଘୋଷଣା କରିଛନ୍ତି । ଫଳରେ ଆଜି(ସୋମବାର) ସନ୍ଧ୍ୟାରେ ଖେଳାଯିବାକୁ ଥିବା ଆଇପିଏଲ ୨୦୨୧ର ଏଲିମିନେଟରରେ RCBକୁ ବିଜୟୀ କରାଇବାରେ ସମସ୍ତ ପ୍ରୟାସ କରିବେ ଡିଭିଲିୟର୍ସ । କାରଣ ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ । ଫଳରେ ବିରାଟ କୋହଲିଙ୍କ ଟ୍ରଫି ବିଜୟ ଆଶାକୁ ଉଜ୍ଜିବୀତ ରଖିବାକୁ ଆରସିବିର ସମସ୍ତ ଖେଳାଳି ପଡିଆରେ ଜୋର୍ ଲଗାଇବେ ବୋଲି ସଙ୍କେତ ଦେଇଛନ୍ତି ଡିଭିଲିୟର୍ସ ।
ଏଲିମିନେଟର ମ୍ୟାଚ୍ ପୂର୍ବରୁ RCB ବ୍ୟାଟର ଡିଭିଲିୟର୍ସ କହିଛନ୍ତି, ଗେମ୍ ପ୍ଳାନ୍ରେ ସେ କିଛି ବି ପରିବର୍ତ୍ତନ କରିବେ ନାହିଁ । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଯେପରି ଦାୟିତ୍ବ ତୁଲାଇଛନ୍ତି ଏହାକୁ ବଳବତ୍ତର ରଖିବେ ।
ସୋମବାର ସନ୍ଧ୍ୟାରେ ଖେଳାଯିବାକୁ ଯାଉଛି ଆଇପିଏଲ ୨୦୨୧ର ଅନ୍ୟତମ ହାଇଭୋଲଟେଜ୍ ମ୍ୟାଚ୍ । ଏଲିମିନେଟର 'କର ବା ମର' ମ୍ୟାଚ୍ରେ ମୁହାଁମୁହିଁ ହେବ RCB ଓ KKR ।