ନୂଆଦିଲ୍ଲୀ: ଆସନ୍ତା ମାସ ଆରମ୍ଭରେ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଏବଂ ଦିନିକିଆ ସ୍କ୍ବାଡ୍ ଘୋଷଣା କରିଛି ବିସିସିଆଇ । ତେବେ ଅଭିଜ୍ଞ ଟେଷ୍ଟ ବ୍ୟାଟର ଚେତେଶ୍ବର ପୂଜାରାଙ୍କୁ ଏଥିରୁ ବାଦ ଦିଆଯାଇଥିବା ବେଳେ ରଣଜୀ ଟ୍ରଫିରେ ଲଗାତାର ଦମଦାର ପ୍ରଦର୍ଶନ କରୁଥିବା ସର୍ଫରାଜ ଖାନ୍ଙ୍କୁ ଏଥର ମଧ୍ୟ ଟେଷ୍ଟ ଦଳରେ ସାମିଲ୍ କରାଯାଇନାହିଁ । ବିସିସିଆଇ ଚୟନକର୍ତ୍ତାଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅନେକ ପୂର୍ବତନ କ୍ରିକେଟ୍ର ପ୍ରଶ୍ନ ଉଠାଇଥିବା ବେଳେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଚୟନକର୍ତ୍ତାଙ୍କ ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ।
୨୦୨୧-୨୨ ରଣଜୀ ସିଜିନରେ ୧୨୨.୭୫ ହାରରେ ୯୮୨ ରନ କରିଥିଲେ ସର୍ଫରାଜ ଖାନ । ଏହି ସିଜିନରେ ୪ ଶତକ ଯୋଡ଼ିଥିଲେ ସେ । ସେହିପରି ୨୦୨୨-୨୩ ରଣଜୀ ସିଜିନରେ ମଧ୍ୟ ୩ ଶତକ ସହିତ ୯୨.୬୬ ହାରରେ ମୋଟ ୫୫୬ ରନ କରିଛନ୍ତି । ଏଭଳି ଫର୍ମ ସତ୍ତ୍ବେ ସର୍ଫରାଜଙ୍କୁ ଦଳରେ ସାମିଲ୍ କରାନଯିବା ନେଇ କ୍ଷୁବ୍ଧ ହୋଇଛନ୍ତି ଅନେକ ପୂର୍ବତନ କ୍ରିକେଟର । କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ରଣଜୀ ଟ୍ରଫିର ଆୟୋଜନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଚୟନକର୍ତ୍ତା ଦେଶର ଶୀର୍ଷ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିକୁ ଅଣଦେଖା କରି ଆଇପିଏଲ୍ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କୁ ଦଳରେ ଚୟନ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଗାଭାସ୍କର ।