ହାଇଦ୍ରାବାଦ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆରେ ଏକାଧିକ ରେକର୍ଡ ହାସଲ କରିଛନ୍ତି ଯୁବ ତାରକା ବ୍ୟାଟର ଶୁଭମନ ଗିଲ । ସେ ଏହି ମ୍ୟାଚ୍ରେ ମୋଟ ୧୪୯ ବଲରୁ ୧୯ ଚୌକା ଓ ୯ଟି ଛକା ବଳରେ ସେ ୨୦୮ ରନ ସଂଗ୍ରହ କରିଛନ୍ତି । ସେ ପଞ୍ଚମ ଭାରତୀୟ ବ୍ୟାଟର ଭାବେ ଦିନିକିଆରେ ଦ୍ବିଶତକ ହାସଲ କରିଛନ୍ତି । ତେବେ ଆଜିର ମ୍ୟାଚ୍ରେ ଏକାଧିକ ରେକର୍ଡ ହାସଲ କରିଥିବା ଗିଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ କ୍ରିକେଟର ।
ଦିନିକିଆରେ ତୃତୀୟ ଶତକ:- ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚରେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ପାଳି ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ ଈଶାନ କିଶାନଙ୍କୁ ଶୀଘ୍ର ଆଉଟ ହୋଇଯାଇଥିଲେ । ଯାହାକି ଭାରତକୁ ସଙ୍କଟ ଭିତରକୁ ଠେଲିଦେଇଥିଲା । ତେବେ ପାଳିକୁ ସମ୍ଭାଳି ନିଜର ପ୍ରତିଭା ଦେଖାଇଛନ୍ତି ଶୁଭମନ ଗିଲ । ମାତ୍ର ୮୭ ବଲରୁ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ତୃତୀୟ ଶତକ ହାସଲ କରିଛନ୍ତି ଗିଲ । ଏହା ପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ନିଜର ଦ୍ବିତୀୟ ଶତକ ହାସଲ କରିଥିଲେ । ପ୍ରଥମ ଅନ୍ତର୍ଜାତୀୟ ଶତକ ସେ ୨୦୨୨ ଅଗଷ୍ଟ ୨୨ରେ ଜିମ୍ବାୱେ ବିପକ୍ଷରେ ପୂରଣ କରିଥିଲେ ।
ଦିନିକିଆରେ ଦ୍ରୁତତମ ୧୦୦୦ ରନ:- ଆଜିର ମ୍ୟାଚ୍ରେ ଶୁଭମନ ଗିଲ ଅନ୍ତର୍ଜାତୀୟ ଦିନିକିଆରେ ୧୦୦୦ ବ୍ୟକ୍ତିଗତ ରନ ପୂରଣ କରିଛନ୍ତି । ସେ ଏହି କୀର୍ତ୍ତିମାନ ହାସଲ କରିବାରେ ବିରାଟ କୋହଲି ଓ ଶିଖର ଧାୱନଙ୍କୁ ପଛରେ ପକାଇଛନ୍ତି । ପୂର୍ବରୁ କୋହଲି ଓ ଧାୱନ ୨୪ ଇନିଂସରୁ ୧୦୦୦ ରନ ସଂଗ୍ରହ କରି ଏହି ରେକର୍ଡ କରିଥିଲେ । ତେବେ ଗିଲ କେବଳ ୧୯ ଇନିଂସରେ ୧୦୦୦ ରନ ପୂରଣ କରିଛନ୍ତି ।