ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ଶୃଙ୍ଖଳା ଜିତିବା ପରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବା ପାଇଁ ପ୍ରସ୍ତୁତ ହେଉଛି ଟିମ୍ ଇଣ୍ଡିଆ । ଡିସେମ୍ବର ୧୦ରୁ ଜାନୁଆରୀ ୭ ମଧ୍ୟରେ ୩ଟି ଯାକ ଫର୍ମାଟ୍ରେ ଦ୍ବିପାକ୍ଷିକ ସିରିଜ୍ ଖେଳିବ ଭାରତ । ଏଥିପାଇଁ ନିକଟରେ ଦଳ ମଧ୍ୟ ଘୋଷଣା କରିସାରିଛି ବିସିସିଆଇ । ସେପଟେ ଦକ୍ଷିଣ ଆଫ୍ରିକା ଏହି ଲଢ଼େଇ ପାଇଁ ଆଜି ଘୋଷଣା କରିଛି ଦଳ । ୩ଟି ଯାକ ଫର୍ମାଟ ପାଇଁ ଦଳ ଘୋଷଣା କରିଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ । ସବୁଠାରୁ ବଡ଼ କଥା ହେଉଛି ବୋର୍ଡ ଟେମ୍ବା ବାଭୁମାଙ୍କଠାରୁ ସୀମିତ ଓଭର ଅଧିନାୟକତ୍ବ ଛଡ଼ାଇ ଏଡେନ୍ ମାର୍କ୍ରମଙ୍କ କାନ୍ଧରେ ରଖିଛି କମାଣ । ହେଲେ ଟେଷ୍ଟରେ ବାଭୁମା ନେତୃତ୍ବ ନେଉଥିବା ଦେଖିବାକୁ ମିଳିବ ।
ଚଳିତ ଡିସେମ୍ବର ୧୦ ତାରିଖରୁ ଜାନୁଆରୀ ୭ ତାରିଖ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଘରୋଇ ଦଳ ବିପକ୍ଷରେ ଭାରତ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୩ ଟି୨୦ ମ୍ୟାଚ୍ ଖେଳିବ । ଏଥିପାଇଁ ସମସ୍ତ ଫର୍ମାଟରେ ଭାରତୀୟ ଦଳ ଘୋଷଣା କରିସାରିଛି ବିସିସିଆଇ । ରୋହିତ ଶର୍ମା ଟେଷ୍ଟ ଦଳର ଅଧିନାୟକ ଥିବାବେଳେ ଦିନିକିଆରେ ନେତୃତ୍ବ ନେବେ କେଏଲ୍ ରାହୁଲ । ସେହିଭଳି ଟି୨୦ ସିରଜରେ ସୂର୍ଯ୍ୟକୁମାର ଯାଦବ ଅଧିନାୟକତ୍ବ କରିବେ । ଟେଷ୍ଟ ଦଳକୁ କେଏଲ୍ ରାହୁଲ ଓ ଶ୍ରେୟସ ଆୟର ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଦଳକୁ ସଞ୍ଜୁ ସାମ୍ସନ, ୟୁଜବେନ୍ଦ୍ର ଚହଲ ଓ ଦୀପକ ଚହର ଫେରିଛନ୍ତି । ରୋହିତ ଶର୍ମା ଓ ବିରାଟ କୋହଲି ସୀମିତ ଓଭର ଫର୍ମାଟରୁ ବ୍ରେକ୍ ନେଇଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ସେ ମଧ୍ୟ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ଫେରିଲେ ସାମସନ-ଚହଳ