ମାକେ:ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିଆରେ ଭାରତୀୟ ମହିଳା କ୍ରିକେଟ ଟିମ ଦମଦାର ବିଜୟ । ୟାସ୍ତିକା ଭାଟିଆ, ଶେଫାଳି ବର୍ମା ଓ ସ୍ନେହାଙ୍କ ଦମଦାର ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍କୁ ୨ ୱିକେଟରେ ଜିତିନେଇଛି ଭାରତ । ଏହି ବିଜୟ ସହ ଅଷ୍ଟ୍ରେଲିଆର ୨୬ ଦିନିକିଆ ମ୍ୟାଚ୍ରେ ଅପରାଜେୟ ରେକର୍ଡ ଭଙ୍ଗ କରିଛ ଟିମ ଇଣ୍ଡିଆ । ତେବେ ଘରୋଇ ଅଷ୍ଟ୍ରେଲିଆ ୨-୧ରେ ସିରିଜ ବିଜୟୀ ଜିତିନେଇଛି ।
୨୬୫ ରନ୍କୁ ପିଛା କରିଥିବା ଭାରତ ପକ୍ଷରୁ ବିଜୟର ମୂଳଦୂଆ ପକାଇଥିଲେ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା । ଉଭୟ ମିଶି ପ୍ରଥମ ୱିକେଟ ଯୋଡିରେ ୫୯ ରନ୍ ସଂଗ୍ରହ କରିଥିଲେ । ମାତ୍ର ଏହି ଭାଗିଦାରୀ ଅଧିକ ଆଗେଇ ପାରିନଥିଲା । ମ୍ୟାଚ୍ର ଏକାଦଶତମ ଓଭରରେ ଆସଲେ ଗାର୍ଡନର, ୨୨ ରନ୍ରେ ବ୍ୟାଟିଂ କରୁଥିବା ସମୟରେ ମାନ୍ଧାନାଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା ଭେଟି ଦେଇଥିଲେ । ଏହାପରେ ଶେଫାଳିଙ୍କ ସହ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ ୟାସ୍ତିକା ଭାଟିଆ । ଉଭୟ ମିଶି ଭାରତୀୟ ଇଂନିସକୁ ଆଗକୁ ବଢାଇଥିଲେ । ୨୮ତମ ଓଭର ସୁଦ୍ଧା ୧୫୩/୧ ରନ୍ ସହ ଭଲ ସ୍ଥିତିରେ ରହିଥିଲା ଭାରତ । ଦ୍ବିତୀୟ ୱିକେଟ ଯୋଡିରେ ଶେଫାଳି ଓ ୟାସ୍ତିକା ୧୦୧ ରନ୍ର ଶତକୀୟ ଭାଗିଦାରୀ କରିଥିଲେ ।