ଓଡିଶା

odisha

ETV Bharat / sports

Sachin Tendulkar Birthday: 50 ବର୍ଷରେ ପାଦ ଥାପିଲେ କ୍ରିକେଟର କୋହିନୂର ସଚିନ, ଲିଜେଣ୍ଡକୁ ଛୁଟିଲା ଶୁଭେଚ୍ଛା - କେଉଁ ପୁରସ୍କାର ପ୍ରାପ୍ତ ସଚିନ

50 ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟର କୋହିନୂର ମାଷ୍ଟର ବ୍ଲାଷ୍ଟର ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକର । ଲିଜେଣ୍ଡ ସିଚନ ତେନ୍ଦୁଲକରଙ୍କ ଜନ୍ମଦିନରେ କୋଣ ଅନୁକୋଣରୁ ଛୁଟିଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ

ସଚିନ ତେନ୍ଦୁଲକର
sachin tendulkar birthday

By

Published : Apr 24, 2023, 9:44 AM IST

Updated : Apr 24, 2023, 11:25 AM IST

ନୂଆଦିଲ୍ଲୀ: ସଚିନ...ସଚିନ... ସଚିନ । କିଏ କହେ କ୍ରିକେଟର ଭଗବାନ ତ କିଏ କହେ ମାଷ୍ଟର ବ୍ଲାଷ୍ଟର ତ ପୁଣି କିଏ କହେ କ୍ରିକେଟର ବାଦଶାହା । ଭାରତୀୟ କ୍ରିକେଟର କୋହିନୂର । 10 ନମ୍ବର ଜର୍ସି ପିନ୍ଧି ଯେବେ ସଚିନ ପଡିଆକୁ ଆସନ୍ତି ଆରମ୍ଭ ହୋଇଯାଏ ସେଲିବ୍ରେସନ ଆଉ ଟିଭି ଆଗରେ ଜମିଯାଏ ଭିଡ ଆଉ ସେ ଆଉଟ ହେଲେ ଛାଇଯାଏ ନିରାଶ ବନ୍ଦ ହୋଇଯାଏ ଟିଭି । ସଚିନ ଆଉଟ ହେଲେ ଲାଗେ ଭାରତ ହାତରୁ ମ୍ୟାଚ ଖସି ଗଲା ପରି । ଏହି ଶ୍ରେଷ୍ଠ କ୍ରିକେଟର ବୋଲରଙ୍କୁ ଧୂଳି ଚଟାଇ ବିପକ୍ଷ କବଜାରୁ ମ୍ୟାଚ ଛଡାଇ ଆଣିଛନ୍ତି । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିପକ୍ଷ ଖେଳାଳିଙ୍କଠୁ ସାଉଁଟିଛନ୍ତି ପୁଳା ପୁଳା ପ୍ରଶଂସା । ଆଜି ଏହି ମହାନ କ୍ରିକେଟରଙ୍କ ଜନ୍ମଦିନ । 50 ବର୍ଷରେ ପାଦ ଥାପିଛନ୍ତି ଲିଟିଲ ମାଷ୍ଟର । ମାଷ୍ଟର ବ୍ଲାଷ୍ଟରଙ୍କ ଜନ୍ମଦିନରେ କୋଣ ଅନୁକୋଣରୁ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।

ବିଶ୍ବ କ୍ରିକେଟରେ ଦୁଇ ପ୍ରକାରର ବ୍ୟାଟ୍ସମ୍ୟାନ ରହିଛନ୍ତି । ଜଣେ ସଚିନ ଓ ଅନ୍ୟମାନେ । ସଚିନ କେବଳ ଜଣେ କ୍ରିକେଟର ନୁହନ୍ତି ଅନେକଙ୍କ ଆବେଗ । କ୍ରିକେଟରୁ ଅବସର ନେବା ପରେ ବି ତାଙ୍କ କ୍ରେଜ କମିନାହିଁ । ଆଜି ବି ସଚିନ ସଚିନ ଧ୍ବନିରେ କମ୍ପେ ମଇଦାନ । ଅଜସ୍ର ସମ୍ମାନ, ଶ୍ରଦ୍ଧା ଓ ଖ୍ୟାତିର ଅଧିକାରୀ ସଚିନ ତେନ୍ଦୁଲକର । କ୍ରିକେଟ ତାଙ୍କର ଜୀବନ ଆଉ ଜୀବିକା । ସତରେ କ୍ରିକେଟ ପାଇଁ ଯେମିତି ତାଙ୍କର ଜନ୍ମ । 24 ବର୍ଷର ସଫଳ କ୍ରିକେଟ ଯାତ୍ରା । ସେଇଥି ପାଇଁ ତ ସେ ସଚିନ । ଦ୍ବିତୀୟ ସଚିନ ତିଆରି ହେବା ଅସମ୍ଭବ । ନଜର ପକାନ୍ତୁ ସଚିନଙ୍କ ସମ୍ପର୍କିତ ସୂଚନା ଉପରେ ।

ସଚିନଙ୍କ ପିଲାଦିନ:୧୯୭୩ ମସିହା ଆଜିର ଦିନରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ସଚିନ । ମୁମ୍ବାଇ ସହରରେ ଜନ୍ମ ନେଇଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର 1989 ମସିଆରେ ମାତ୍ର 16 ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚ ସେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ । 24 ବର୍ଷର ଲମ୍ବା କ୍ରିକେଟ କ୍ୟାରିଅରରେ ସେ 6ଟି ବିଶ୍ବକପ ଖେଳିଛନ୍ତି ।

ସଚିନଙ୍କ ପରିବାର:ରମେଶ ତେନ୍ଦୁଲକର ଓ ରଜନୀ ତେନ୍ଦୁଲକରଙ୍କ କୋଳ ମଣ୍ଡନ କରିଥିଲେ ଏହି ମହାନ କ୍ରିକେଟର । ସଚିନଙ୍କର 3 ଭାଇ ରହିଛନ୍ତି । 1990ରେ ଇଂଲଣ୍ଡ ଗସ୍ତରୁ ଫେରୁଥିବାବେଳେ ସଚିନ ମୁମ୍ବାଇ ବିମାନବନ୍ଦରରେ ପ୍ରଥମ ଥର ପତ୍ନୀ ଅଞ୍ଜଳୀଙ୍କୁ ଭେଟିଥିଲେ । ସେହି ଗୋଟିଏ ଦେଖାରେ ହିଁ ଅଞ୍ଜଳୀଙ୍କ ପ୍ରେମରେ ପଡିଥିଲେ ସଚିନ । 22 ବର୍ଷ ବୟସରେ ସଚିନ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଅର୍ଜୁନ ତେନ୍ଦୁଲକର ଓ ଝିଅ ସାରା ରହିଛନ୍ତି । ଅର୍ଜୁନ ତେନ୍ଦୁଲକର ମଧ୍ୟ କ୍ରିକେଟର ଭାବେ ପରିଚୟ ହାସଲ କରିଛନ୍ତି । ସେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ପାଇଁ ଖେଳୁଛନ୍ତି । ଚଳିତ ଆଇପିଏଲରେ ସେ ପଦାର୍ପଣ ମ୍ୟାଚ ଖେଳିଛନ୍ତି ।

ସଚିନଙ୍କ କିର୍ତ୍ତୀମାନ:24ବର୍ଷ କ୍ରିକେଟ କ୍ୟାରିୟରରେ ସଚିନ 200ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ 15921 ରନ କରିଛନ୍ତି । ସେଥିରୁ 51ଥର ଶତକ ଓ 46 ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । 46ଟି ୱିକେଟ ମଧ୍ୟ ହାସଲ କରିଛନ୍ତି । 24 ବର୍ଷ ସଫଳ କ୍ରିକେଟ ଯାତ୍ରାରେ ସେ 463ଟି ଦିନିକିଆ ଖେଳି 18426 ରନ କରିଛନ୍ତି । ଅପରାଜିତ 200 ତାଙ୍କର ସର୍ବୋଚ୍ଚ ରନ ରହିଥିଲା । ଦିନିକିଆ ଫର୍ମାଟରେ ସେ 49ଥର ଶତକ ଓ 96 ଥର ଅର୍ଦ୍ଧଶତକ ହାସଲ କରିଥିଲେ । 154ଟି ୱିକେଟ ହାସଲର ରେକର୍ଡ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ଭାବେ ସେ 100ଟି ଶତକ ହାସଲ କରିଛନ୍ତି । 96ଟି ଟି-ଟ୍ବେଣ୍ଟି ଖେଳି 2797 ରନ କରିଥିଲେ । ଥରେ ଶତକ ଓ 16 ଥର ଅର୍ଦ୍ଧଶତକ ହାସଲ କରିଥିଲେ । ସଚିନଙ୍କ ନାମରେ 6ଟି ଦ୍ବିଶତକ ରହିଛି । 1996 ଓ 2011 ବିଶ୍ବ ବିଜୟୀ ଭାରତୀୟ ଦଳରେ ସଦସ୍ୟ ଥିଲେ ସଚିନ । 2013 ନଭେମ୍ବରରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ସେ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ୱାଙ୍ଖଡେ ଷ୍ଟାଡିୟମରେ ଏହି ଟେଷ୍ଟ ମ୍ୟାଚ ପରେ ସଚିନଙ୍କୁ ସଲାମ ଜରିଆରେ ବିଦାୟୀ ଜଣାଇଥିଲେ କୋଟି କୋଟି ଫ୍ୟାନ୍ସ ।

ସଚିନଙ୍କୁ ସମ୍ମାନ:କିମ୍ବଦନ୍ତୀ କ୍ରିକେଟର ସଚିନ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମ୍ମାନର ଅଧିକାରୀ ହୋଇଛନ୍ତି ।1997ରେ ରାଜୀବ ଗାନ୍ଧୀ ଖେଳରତ୍ନ ଓ 1999ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ସଚିନ । ଏହା ସହିତ 2001ରେ ମହାରାଷ୍ଟ୍ର ଭୂଷଣ ପୁରସ୍କାର, 2008ରେ ପଦ୍ମ ବିଭୂଷଣ ଓ 2014ରେ ଭାରତ ରତ୍ନ ସମ୍ମାନ ପାଇଥିଲେ ସଚିନ ତେନ୍ଦୁଲକର ।

2013 ମସିହା ନଭେମ୍ବର 14ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ସଚିନ ତେନ୍ଦୁଲକର । ଏହାପରେ ଭାରତୀୟ କ୍ରିକେଟର ଗୋଟିଏ ଯୁଗର ଅବସାନ ଘଟିଥିବା ଚର୍ଚ୍ଚା ହୁଏ । ଭାରତୀୟ କ୍ରିକେଟ ଦଳରେ ଅନେକ କ୍ରିକେଟର ସ୍ଥାନ ପାଇଛନ୍ତି ମାତ୍ର ସଚିନଙ୍କ ସ୍ଥାନ କେହି ନେଇ ପାରିନାହାନ୍ତି । ଆଜି ବି କ୍ରିକେଟ ଯେମିତି ତାଙ୍କ ବିନା ଅଧା ଲାଗେ । ‘ଇଟିଭି ଭାରତ’ ପକ୍ଷରୁ ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ଜନ୍ମଦିନ ଶୁଭେଚ୍ଛା ।

Last Updated : Apr 24, 2023, 11:25 AM IST

ABOUT THE AUTHOR

...view details