ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ନିଜ ଘରୋଇ ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ କ୍ୟାପ୍ଟେନ୍ସି ଡେବ୍ୟୁ (International Captaincy Debut )କରିବାକୁ ଯାଉଛନ୍ତି ୱିକେଟ କିପର ବ୍ୟାଟ୍ର ଋଷଭ ପନ୍ତ । ପନ୍ତଙ୍କ ନେତୃତ୍ବରେ ଏହି ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ଟି୨୦ ସିରିଜ ପାଇଁ ଅଧିନାୟକ ନିଯୁକ୍ତ ହୋଇଥିବା କେଏଲ ରାହୁଲ ଅଭ୍ୟାସବେଳେ ଆହତ କାରଣରୁ ସଂପୂର୍ଣ୍ଣ ସିରିଜରୁ ବାଦ୍ ପଡିଛନ୍ତି । ପୂର୍ବରୁ ନିୟମିତ କ୍ୟାପଟେନ ରୋହିତ ଶର୍ମା, ବିରାଟ କୋହଲି ଓ ଜଶପ୍ରୀତ ବୁମରାଙ୍କୁ ସିରିଜରୁ ବିଶ୍ରାମ ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ।
ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତିରେ ଦିନେଶ କାର୍ତ୍ତିକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଦିନେଶ କାର୍ତ୍ତିକ ଜାତୀୟ ଟିମକୁ ଦୀର୍ଘ ଦିନର ବ୍ୟବଧାନ ପରେ ପ୍ରତ୍ୟାବର୍ତ୍ତନ କରିଥିବାରୁ ତାଙ୍କର ପ୍ରଦର୍ଶନ ଉପର ସମସ୍ତଙ୍କ ନଜର ରହିଛି । କୌତୁହଳର କଥା ହେଉଛି ଯେ, ଫେବୃଆରୀ ୨୦୧୯ ପରଠାରୁ ଭାରତ ପାଇଁ କୌଣସି ଟି୨୦ ମ୍ୟାଚ୍ ଖେଳିନାହାନ୍ତି କାର୍ତ୍ତିକ । କୋଚ୍ ଦ୍ରାବିଡ ଘୋଷଣା କରିସାରିଛନ୍ତି ଯେ, କାର୍ତ୍ତିକଙ୍କୁ ଫିନିସର ରୋଲ୍ ହିଁ ମିଳିବ । IPL 2022ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପକ୍ଷରୁ ଖେଳି ୨୨୦ ଷ୍ଟ୍ରାଇକ ରେଟ୍ରେ ୨୪୨ ରନ୍ ସଂଗ୍ରହ କରିଥିଲେ କାର୍ତ୍ତିକ । ଆରସିବିରେ ସଫଳ ଫିନିସରର ଭୁମିକା ନିଭାଇ ୩ ବର୍ଷ ପରେ ଜାତୀୟ ଟିମକୁ ଫେରିଛନ୍ତି ।
ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗୁଜରାଟ ଟାଇଟନ୍ସ ପ୍ରଥମ ଥର ଆଇପିଏଲ ଚାମ୍ପିୟନ ହୋଇଛି । ପାଣ୍ଡ୍ୟାଙ୍କ ନିଜର ପ୍ରଦର୍ଶନ IPL ୨୦୨୨ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ରହିଥିଲା । ୧୫ଟି ମ୍ୟାଚ୍ରୁ ୪୪.୨୭ ଆଭରେଜ୍ରେ ୪୮୭ ରନ୍ ସଂଗ୍ରହ କରିବା ସହ ୮ଟି ୱିକେଟ ମଧ୍ୟ ହାତେଇଥିଲେ ।