ଦୁବାଇ: ଆଇପିଏଲ୍ ୨୦୨୪ ପାଇଁ ଆରମ୍ଭ ହେଲାଣି ଦିନ ଗଣତି । ବିଶେଷ କରି ଦିଲ୍ଲୀ କ୍ୟାପିଟାଲ୍ସ ଓ ଋଷଭ ପନ୍ତଙ୍କ ପ୍ରଶଂସକ ଏହି ହାଇପ୍ରୋଫାଇଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ବେଶୀ ଉତ୍ସାହିତ ଅଛନ୍ତି । କାରଣ ଦୀର୍ଘ ୧ ବର୍ଷର ବିରତି ପରେ ମୈଦାନକୁ ଫେରିବେ ପନ୍ତ । ଦିଲ୍ଲୀ ପାଇଁ କରିବେ ଚୌକା ଓ ଛକା ବର୍ଷା ଏବଂ ଭାଙ୍ଗିବେ ଅନେକ ରେକର୍ଡ । ହେଲେ ମୈଦାନକୁ ଆସିବା ପୂର୍ବରୁ ଅକ୍ସନ ଟେବୁଲରେ ହିଁ ଏକ ବଡ଼ ଇତିହାସ ଲେଖିଛନ୍ତି ଋଷଭ । କୌଣସି ଆଇପିଏଲ୍ ଦଳର ପ୍ରଥମ ଅଧିନାୟକ ଭାବେ ସେ ଆଇପିଏଲ୍ ଅକ୍ସନରେ ଭାଗ ନେଇଥିଲେ । ଡିସେମ୍ବର ୧୯ରେ ଦୁବାଇରେ ଅନୁଷ୍ଠିତ ଆଇପିଏଲ୍ ୨୦୨୪ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟାରେ ସେ ନିଜ ଫ୍ରାଞ୍ଚାଇଜ୍କୁ ଖେଳାଳି କିଣିବାରେ ସହାୟତା କରିଥିଲେ ।
ଇତିହାସ ରଚିଲେ ପନ୍ତ: ଆଇପିଏଲ୍ ଖେଳୁଥିବା କୌଣସି ଦଳର ଅଧିନାୟକ କେବେ ନିଲାମରେ ଅଂଶଗ୍ରହଣ କରିନଥିଲେ । ଯଦିଓ ଏହି ନିଲାମୀ ପ୍ରକ୍ରିୟା ପୂର୍ବରୁ ଫ୍ରାଞ୍ଚାଇଜ୍ ଗୁଡ଼ିକ ଏହାର ଅଧିନାୟକ ମାନଙ୍କ ସହ ଆଲୋଚନା କରିଥାଆନ୍ତି, ହେଲେ ମୁଖ୍ୟତଃ ନିଲାମୀ ପ୍ରକ୍ରିୟାରେ ଟିମ୍ ମ୍ୟାନେଜର, କୋଚ ପ୍ରମୁଖ ଭାଗ ନେଇଥାଆନ୍ତି । ହେଲେ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଅଧିନାୟକ ଅକ୍ସନ ଟେବୁଲରେ ବସି ଖେଳାଳି କିଣୁଥିବା ନଜର ଆସିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତ ଆଇପିଏଲ୍ ୨୦୨୪ ପାଇଁ ହୋଇଥିବା ମିନି ଅକ୍ସନରେ ଭାଗ ନେଇଥିଲେ । ଏହି ସମୟରେ ସେ ନିଜ ଦଳ ପାଇଁ ବିଡ୍ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ୍ରେ ମଧ୍ୟ ଏହାର ଅନେକ ଫଟୋ ଓ ଭିଡିଓ ସେୟାର କରାଯାଇଛି ।
ପନ୍ତଙ୍କୁ ପାଇ ଉତ୍ସାହିତ ପ୍ରଶଂସକ: ଆଇପିଏଲ୍ ଅକ୍ସନରେ ଅଂଶଗ୍ରହଣ ପାଇଁ ଦୁବାଇର କୋକାକୋଲା ଏରିନାରେ ପନ୍ତ ପହଞ୍ଚିବା ମାତ୍ରେ ସେଠାରେ ସମସ୍ତେ ତାଙ୍କ ସହ ସେଲ୍ଫି ନେଇଥିଲେ । ପ୍ରାୟ ସବୁ ଫ୍ରାଞ୍ଚାଇଜ୍ର ମୁଖ୍ୟ ଓ କୋଚ୍ମାନେ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ପଞ୍ଜାବ କିଙ୍ଗସ୍ର ମାଲିକାନା ରଖିଥିବା ଚର୍ଚ୍ଚିତ ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ଋଷଭଙ୍କ ପାଖରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ସହ ଫଟୋ ଉଠାଇଥିଲେ । ଏହି ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେଉଛି ।