ହାଇଦ୍ରାବାଦ:କୋରୋନା ଯୁଦ୍ଧରେ ହାରିଗଲେ ରାଜସ୍ଥାନର ପୂର୍ବତନ ଲେଗ୍ ସ୍ପିନର ଓ ରଣଜୀ ଟ୍ରଫି ବିଜେତା ଟିମର ସଦସ୍ୟ ବିବେକ ଯାଦବ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 36 ବର୍ଷ ବୟସ ହୋଇଥିଲା । ପତ୍ନୀଙ୍କ ସହ ତାଙ୍କର ଛୋଟ ଝିଅ ମଧ୍ୟ ରହିଛନ୍ତି । ମେ' 5ରେ ଜୟପୁରର ଏକ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଯାଦବ ।
ପୂର୍ବତନ ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରା ଯାଦବଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିବା ସହ ଜଣେ ଭଲ ବନ୍ଧୁଙ୍କୁ ହରାଇଲେ ବୋଲି ଟ୍ବିଟ କରିଛନ୍ତି । ଏଥିସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।
ଯାଦବ ମୋଟ 18ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି 57 ୱିକେଟ ହାସଲ କରିଥିଲେ । 2010-11 ରଣଜୀ ଟ୍ରଫି ଫାଇନାଲ ଖେଳିଥିଲେ ଯାହାକି ଘରୋଇ କ୍ରିକେଟ କ୍ୟାରିୟରର ସବୁଠୁ ମହତ୍ତ୍ବପୂର୍ଣ୍ଣ ମୁକାବିଲା ରହିଥିଲା । ଫାଇନାଲ ମୁକାବିଲାରେ ବରୋଦା ବିପକ୍ଷରେ 91 ରନ୍ ବ୍ୟୟରେ 4ଟି ୱିକେଟ ହାସଲ କରିଥିଲେ ଓ ପ୍ରଥମ ଇଂନିସରେ ଅଗ୍ରଣୀ ଦେବାରେ ପ୍ରମୁଖ ଭୁମିକା ନିଭାଇଥିଲେ । ଯାଦବ ନିଜର ଶେଷ ପେଷାଦାର ମ୍ୟାଚ 30 ବର୍ଷ ବୟସ ପୂର୍ବରୁ ଖେଳିଥିଲେ ।