ହାଇଦ୍ରାବାଦ: ଦିନିକିଆ କ୍ରିକେଟରୁ ଦକ୍ଷିଣ ଆଫ୍ରିକାର ଷ୍ଟାର ୱିକେଟ୍କିପର-ବ୍ୟାଟର କ୍ବିଣ୍ଟନ ଡି'କକ୍ଙ୍କ ଅବସର । ଏଣିକି ଆଉ ଦିନିକିଆ କ୍ରିକେଟ୍ରେ ଦେଖିବାକୁ ମିଳିବେନି ଦକ୍ଷିଣ ଆଫ୍ରିକାର ଏହି ଧୂଆଁଧାର ବ୍ୟାଟର । ବିଶ୍ବକପ୍ ୨୦୨୩ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ମ୍ୟାଚ୍ ଖେଳି ସେ ଦିନିକିଆ କ୍ରିକେଟ୍କୁ ଅଲ୍ବିଦା କହିଛନ୍ତି । ମାତ୍ର ୩୦ ବର୍ଷ ବୟସରେ ସେ ଦିନିକିଆ କ୍ରିକେଟ୍ରୁ ଅବସର ନେଇଛନ୍ତି । ଭାରତରେ ଆୟୋଜିତ ବିଶ୍ବକପରେ ତାଙ୍କର କ୍ୟାରିୟର ଶେଷ ହେବ ବୋଲି ସେ ପୂର୍ବରୁ ଘୋଷଣା କରିଥିଲେ । ଦମଦାର ଫର୍ମରେ ରହିଥିଲେ ହେଁ ଡି'କକ୍ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛନ୍ତି ।
ଅଷ୍ଟ୍ରେଲିଆ ଠାରୁ ୩ ୱିକେଟ୍ରେ ହାରିବା ସହ ଦକ୍ଷିଣ ଆଫ୍ରିକା ବିଶ୍ବକପ୍ ୨୦୨୩ରୁ ବିଦାୟ ନେଇଛି । ଯଦିଓ ଡି'କକ୍ ସେମିଫାଇନାଲ୍ ଭଳି ବଡ଼ ଷ୍ଟେଜ୍ରେ ନିଜ ଶେଷ ମ୍ୟାଚ୍ରେ ଭଲ ପ୍ରଦର୍ଶନ ଦେଇପାରିନଥିଲେ, ହେଲେ ସେ ଚଳିତ ବିଶ୍ବକପ୍ରେ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ । ସେ ୧୦ଟି ମ୍ୟାଚ୍ ଖେଳି ୬୯.୪୦ ହାରରେ ମୋଟ୍ ୫୯୪ ରନ୍ ସଂଗ୍ରହ କରିଥିଲେ । ଡି'କକ୍ଙ୍କ ଉପରେ ୭୧୧ ରନ୍ ସହ ରହିଛନ୍ତି କେବଳ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି । ପ୍ରଥମ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଭାବେ ବିଶ୍ବକପ୍ର ଗୋଟିଏ ସଂସ୍କରଣରେ ୪ଟି ଶତକ ଅର୍ଜନ କରିବାର କୀର୍ତ୍ତିମାନ କରିଥିଲେ ଡି'କକ୍ । କ୍ରିକେଟ୍ ବିଶ୍ବକପ୍ ଇତିହାସରେ ପ୍ରଥମ ୱିକେଟ୍କିପର ଭାବେ ୫୦୦ରୁ ଅଧିକ ରନ୍ ସ୍କୋର କରିବା ସହ ୱିକେଟ୍ ପଛରେ ୨୦ ୱିକେଟ୍ (୧୯ କ୍ୟାଚ୍, ୧ ଷ୍ଟମ୍ପିଂ) ନେଇଛନ୍ତି ଡି'କକ୍ ।
ଏହା ମଧ୍ୟ ପଢ଼ନ୍ତୁ...ଦକ୍ଷିଣ ଆଫ୍ରିକାର ବିଶ୍ବକପ ଯାତ୍ରା ଶେଷ, ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଫାଇଟ