ଓଡିଶା

odisha

By

Published : Jul 9, 2023, 9:06 PM IST

ETV Bharat / sports

ଭାରତକୁ ପାକ୍‌ କ୍ରୀଡ଼ାମନ୍ତ୍ରୀଙ୍କ ଚେତାବନୀ, 'ଏସିଆ କପ୍‌ରେ ନ୍ୟୁଟ୍ରାଲ ଭେନ୍ୟୁ ଜିଦ୍‌ ଛାଡ଼ିଦିଅ'

ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଯିବନି ବୋଲି ବିସିସିଆଇ ସ୍ପଷ୍ଟ କରିବା ପରେ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳ ହେବା ନେଇ ନିଷ୍ପତ୍ତି ନେଇଛି ଏସିସି । ସେପଟେ ଭାରତ ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ନଆସିଲେ ଆମେ ମଧ୍ୟ ନ୍ୟୁଟ୍ରାଲ ଭେନ୍ୟୁରେ ବିଶ୍ବକପ୍‌ ଖେଳିବାକୁ ଦାବି କରିବୁ ବୋଲି କହିଛନ୍ତି ପାକ୍‌ କ୍ରୀଡ଼ାମନ୍ତ୍ରୀ ଏହ୍‌ସାନ ମଜାରି । ଅଧିକ ପଢ଼ନ୍ତୁ

ଭାରତକୁ ପାକ୍‌ କ୍ରୀଡ଼ାମନ୍ତ୍ରୀଙ୍କ ଚେତାବନୀ
ଭାରତକୁ ପାକ୍‌ କ୍ରୀଡ଼ାମନ୍ତ୍ରୀଙ୍କ ଚେତାବନୀ

ନୂଆଦିଲ୍ଲୀ: ବିଶ୍ବକପ୍‌ ୨୦୨୩ ଯେତିକି ପାଖେଇ ଆସୁଛି, ଏଥିରେ ପାକିସ୍ତାନର ଅଂଶଗ୍ରହଣ ନେଇ ଦ୍ବନ୍ଦ୍ବ ସେତିକି ବଢ଼ିବଢ଼ି ଚାଲିଛି । ଭାରତରେ ଚଳିତ ବର୍ଷ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନର ସାମିଲ ହେବାକୁ ନେଇ ସନ୍ଦେହ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି । ପାକିସ୍ତାନ କ୍ରୀଡ଼ାମନ୍ତ୍ରୀ ଏହ୍‌ସାନ ମଜାରିଙ୍କ ଏକ ବୟାନ ବିଶ୍ବକପ୍‌ରେ ପାକିସ୍ତାନର ଅଂଶଗ୍ରହଣକୁ ନେଇ ସନ୍ଦେହ ବଢ଼ାଇଛି । ଭାରତ ମଧ୍ୟ ଏସିଆ କପ୍ ମ୍ୟାଚ୍‌କୁ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବା ଦାବିକୁ ଛାଡ଼ି ପାକିସ୍ତାନ ଆସିବା ଉଚିତ ବୋଲି ସେ କହିଛନ୍ତି । ନହେଲେ ଆମେ ମଧ୍ୟ ନ୍ୟୁଟ୍ରାଲ ଭେନ୍ୟୁରେ ବିଶ୍ବକପ୍ ଖେଳିବା ପାଇଁ ଦାବି କରିବୁ ବୋଲି ସିଧାସଳଖ କହିଛନ୍ତି ପାକ୍‌ କ୍ରୀଡ଼ାମନ୍ତ୍ରୀ ।

ଗତ ଜୁନ୍‌ ୨୭ରେ ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍ସିଲ (ଆଇସିସି) ଭାରତରେ ହେବାକୁ ଥିବା ବିଶ୍ବକପ୍ ୨୦୨୩ ପାଇଁ ଖେଳସୂଚୀ ଜାରି କରିସାରିଛି । ୫ ଅକ୍ଟୋବରରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଥିବାବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ ମ୍ୟାଚ୍ ୧୫ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହା ବ୍ୟତୀତ ପାକିସ୍ତାନ ନିଜ ଲିଗର ୮ଟି ମ୍ୟାଚ୍ ୪ଟି ସହର ଯଥା ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ ଏବଂ କୋଲକାତାରେ ଖେଳିବା ପାଇଁ ଆଇସିସି କ୍ରୀଡ଼ାସୂଚୀରେ ରହିଛି । ଅନ୍ୟପଟେ ବିସିସିଆଇର ଆବେଦନ କ୍ରମେ ଏସିଆନ କ୍ରିକେଟ କାଉନ୍ସିଲ (ଏସିସି) ବିଶ୍ବକପ୍ ପୂର୍ବରୁ ହେବାକୁ ଥିବା ଏସିଆକପ୍ ଶ୍ରୀଲଙ୍କା ଏବଂ ପାକିସ୍ତାନରେ କରାଇବା ପାଇଁ ନିଷ୍ପତ୍ତି ନେଇଛି । ପାକିସ୍ତାନରେ ଭାରତ ଗୋଟିଏ ମ୍ୟାଚ୍ ମଧ୍ୟ ଖେଳିବ ନାହିଁ । ଯଦି ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚେ, ତେବେ ଫାଇନାଲ୍‌ ମଧ୍ୟ ଶ୍ରୀଲଙ୍କାରେ ହେବ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଭାରତ ଗସ୍ତ ନେଇ ପାକ୍ ପିଏମଙ୍କ ଅନୁମତି ଲୋଡିଲା PCB

ଏନେଇ ପାକିସ୍ତାନ କ୍ରୀଡ଼ାମନ୍ତ୍ରୀ ମଜାରି ଏକ ସାକ୍ଷାତକାରରେ କହିଛନ୍ତି, "ବିଦେଶ ମନ୍ତ୍ରୀ ବିଲୱାଲ ଭୁଟ୍ଟୋ ଜରଦାରୀଙ୍କ ଅଧ୍ୟକ୍ଷତାରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ୧୪ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । ସେଥିରେ ମୋ ସହ ମୋଟ ୧୧ ମନ୍ତ୍ରୀ ରହିଛନ୍ତି । ପାକିସ୍ତାନ କ୍ରିକେଟ ଦଳ ଭାରତକୁ ଯାଇ କ୍ରିକେଟ ଖେଳିବା ଉଚିତ ହେବ କି ନାହିଁ, ସେନେଇ ଆମେ ଆଲୋଚନା କରିବୁ । ଆମେ ଆମର ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ପଠାଇବୁ । ସେହି ଆଧାରରେ ପ୍ରଧାନମନ୍ତ୍ରୀ ବିଶ୍ବକପ୍‌ରେ ପାକିସ୍ତାନର ଅଂଶଗ୍ରହଣ ନେଇ ଶେଷ ନିଷ୍ପତ୍ତି ନେବେ । ପିସିବି ମୋ ବିଭାଗରେ ଆସୁଛି । ତେଣୁ ମୋ ବିଚାରରେ ଭାରତ ମଧ୍ୟ ଏସିଆ କପ୍ ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳିବାର ଜିଦ୍‌ ଛାଡିଦେଉ । ନହେଲେ ଆମେ ମଧ୍ୟ ବିଶ୍ବକପ୍‌ରେ ପାକିସ୍ତାନର ମ୍ୟାଚ୍ ନ୍ୟୁଟ୍ରାଲ ଭେନ୍ୟୁରେ କରାଇବା ନେଇ ଦାବି କରିବୁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details