କଲମ୍ବୋ: ରବିବାର ଏସିଆ କପ୍ ୨୦୨୩ର ସୁପର-୪ ପର୍ଯ୍ୟାୟରେ ପୁଣିଥରେ ଗରମ ହେବ ମୈଦାନ । ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ଓ ପାକିସ୍ତାନ । ପୂର୍ବ ମ୍ୟାଚ୍ ବର୍ଷାରେ ଧୋଇଯିବା ପରେ ଏହି ମ୍ୟାଚ୍କୁ ଚାତକ ପରି ଚାହିଁ ରହିଛନ୍ତି ପ୍ରଶଂସକ । ତେବେ ଏହି ହାଇପ୍ରୋଫାଇଲ୍ ମ୍ୟାଚ୍ ପାଇଁ ପାକିସ୍ତାନର ଷ୍ଟ୍ରାଟେଜି ଏକ୍ଦମ କ୍ଲିୟର । ପୂର୍ବଥର ଭଳି ଏଥର ମଧ୍ୟ ଦିନକ ଆଗରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି ପାକିସ୍ତାନ କ୍ରିକେଟ । ତେବେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତକୁ ଭେଟିଥିବା ବାବର ଆଜମଙ୍କ ନେତୃତ୍ଵାଧୀନ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ମହମ୍ମଦ ନୱାଜଙ୍କ ସ୍ଥାନରେ ଫହିମ ଅଶ୍ରଫଙ୍କୁ ଦଳରେ ସ୍ଥାନ ଦେଇଛି ପାକିସ୍ତାନ ।
ନୱାଜଙ୍କ ବଦଳରେ ଫହିମ ଅଶ୍ରଫ: ନୱାଜ ଜଣେ ସ୍ପିନ ଅଲରାଉଣ୍ଡର ହୋଇଥିବାବେଳେ ଫହିମ ଅଶ୍ରଫ ହେଉଛନ୍ତି ଦ୍ରୁତ ବୋଲର ଅଲରାଉଣ୍ଡର । ନୱାଜଙ୍କ ସ୍ଥାନରେ ଅଶ୍ରଫଙ୍କୁ ସ୍ଥାନ ଦେବା ନେଇ ବାବର ଆଜମଙ୍କ ରଣନୀତିରୁ ସ୍ପଷ୍ଟ ଯେ, ଭାରତ ବିପକ୍ଷରେ ୪ ଦ୍ରୁତ ବୋଲର ସହ ମୈଦାନକୁ ଓହ୍ଲାଇବ ପାକିସ୍ତାନ । ସେପ୍ଟେମ୍ବର ୨ ତାରିଖରେ ଭାରତ ବିପକ୍ଷ ମ୍ୟାଚ୍ ଯଦିଓ ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ହୋଇପାରିନଥିଲା, ହେଲେ ଭାରତ ପାଳି ସମ୍ପୂର୍ଣ୍ଣ ଖେଳାଯାଇଥିଲା । ଏଥିରେ ପାକିସ୍ତାନର ୩ ଦ୍ରୁତ ବୋଲର ଭାରତର ସମସ୍ତ ୱିକେଟ୍ ଦଖଲ କରିବାରେ ସକ୍ଷମ ହୋଇଥିଲେ । ଦଳର ଷ୍ଟାର ବୋଲର ଶାହୀନ ଶାହ ଆଫ୍ରିଦି ୪ ୱିକେଟ୍ ନେଇଥିବା ବେଳେ ନସୀମ ଶାହ ଓ ହାରିଶ ରୌଫ୍ ପ୍ରତ୍ୟେକ ୩ଟି ଲେଖାଏ ୱିକେଟ୍ ନେଇଥିଲେ । ତେଣୁ ଏହି ମ୍ୟାଚ୍ରେ ବାବର ଆଜମ ନିଜ ଦଳକୁ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଫହିମ ଅଶ୍ରଫଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇଥିବା କୁହାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଭାରତ-ପାକ୍ ମ୍ୟାଚ୍ ପାଇଁ ରିଜର୍ଭ ଡେ', ବର୍ଷିଲେ ପୂର୍ବତନ କ୍ରିକେଟର